ବାରିପଦା: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡିଲେ କୁଳିଅଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଆକାଉଣ୍ଟାଣ୍ଡ

ବାରିପଦା: ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଆକାଉଣ୍ଟାଣ୍ଡ ଅରଜିତ ଜେନା ୨ହଜାର ଟଙ୍କା ଲାଞ୍ଚ ନେବା ବେଳେ ଗୁରୁବାର ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଭିଜିଲାନ୍ସ ଅଧିକାରୀମାନେ ତାଙ୍କଠାରୁ ୪ଟି ୫୦୦ ଟଙ୍କିଆ ନୋଟ୍, ଫାଇଲ୍ ଓ କିଛି କାଗଜପତ୍ର ଜବତ କରିଛନ୍ତି। ଏହାସହ ଭିଜିଲାନ୍ସ ଅଧିକାରୀମାନେ ତାଙ୍କ ଘରେ ମଧ୍ୟ ତଲାସୀ କରିଛନ୍ତି। ଆଜି ତାଙ୍କୁ କୋର୍ଟ ଚାଲାଣ କରାଯାଇଛି।

ସୂଚନାଯୋଗ୍ୟ, କୁଳିଅଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନରେ ଥିବା ଚାନ୍ଦୁଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଜଣେ ଏଏନଏମ ସୁହାଗୀ ସୋରେନ ଛୁଟିରେ ଥିଲେ। ସେ ତାଙ୍କ ଦରମା ବିଲ୍ ଓ ଅଫିସର ଅନ୍ୟ କିଛି ବିଲ୍ ପାସ୍ କରାଇବା ପାଇଁ ବାରମ୍ବାର ଦୌଡୁଥିଲେ। ଅରଜିତ ଏହି ବିଲ୍ ପାସ୍ କରାଇ ଦେବାକୁ ତାଙ୍କୁ ୪ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ ନେଇ  ସୁହାଗୀ ଭିଜିଲାନ୍ସ ଅଧିକାରୀଙ୍କୁ ଜଣାଇଥିଲେ। ଯୋଜନା ମୁତାବକ ଗୁରୁବାର ସୁହାଗୀ ୨ହଜାର ଟଙ୍କା ଦେବାକୁ ଯାଇଥିଲେ। ଅରଜିତ ରାସାୟନ ବୋଳା ଟଙ୍କା ନେବା ବେଳେ ପୂର୍ବରୁ ପ୍ରସ୍ତୁତ ଥିବା ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଗିରଫ କରିଥିଲେ।

ଗିରଫ ଅରଜିତଙ୍କ ଘର ଉଦଳାରେ। ସେ ୨୦୧୧ରେ ଜାତୀୟ ସ୍ୱାସ୍ଥ୍ୟ ମିଶନରେ ଠିକା କର୍ମଚାରୀ ଭାବ ଚାକିରିରେ ଯୋଗଦେଇଥିଲେ।