ଭୁବନ: ମାଟି ତଳୁ ନାବାଳିକାର ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ

କାମାକ୍ଷାନଗର: ଦୁଷ୍କର୍ମ ଓ ହତ୍ୟାର ଶିକାର ହୋଇଥିବା ଜଣେ ନାବାଳିକା ମୃତଦେହକୁ ପରିବାର ଲୋକେ ପୋତି ଦେଇଥିବା ବେଳେ ଆଜି ପୋଲିସ ଉଦ୍ଧାର କରିଛି। ଏପରି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ମାଳୁଆଗୁଡା ଗ୍ରାମରେ। ପୋଲିସ ମାଟିତଳୁ ନାବାଳିକା (୧୦ ବର୍ଷ)ର ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଭିଯୁକ୍ତ ଶିବାନନ୍ଦ ପଧାନକୁ ଗିରଫ କରିଛି। ଡାକ୍ତରୀମାଇନା ପରେ ଅଭିଯୁକ୍ତ ଶିବାନନ୍ଦକୁ କୋର୍ଟ ଚାଲାଣ କରାଯିବ ବୋଲି କାମାକ୍ଷାନଗର ଏସଡିପିଓ ସେକ ଅବଦୁଲ କରିମ କହିଛନ୍ତି।

ପୋଲିସ ସୂତ୍ରରୁ ଜଣାପଡ଼ିଛି, ୨୪ ତାରିଖ ରାତିରେ ନାବାଳିକା ଜଣଙ୍କ ପଡ଼ୋଶୀ ଘରକୁ ଟିଭି ଦେଖିବାକୁ ଯାଇଥିଲା। ବିଳମ୍ବିତ ରାତି ପର୍ଯ୍ୟନ୍ତ ସେ ନ ଫେରିବାରୁ ପରିବାର ଲୋକେ ଓ ପାଖ ପଡ଼ୋଶୀ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ନିରାଶ ହୋଇଥିଲେ। ୨୫ ତାରିଖ ସକାଳେ ଘରଠାରୁ କିଛି ଦୂରରେ ନାବାଳିକାର ମୃତଦେହ ଉଲଗ୍ନ ଅବସ୍ଥାରେ ପଡିଥିବା ଦେଖି ଗ୍ରାମବାସୀ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଘରକୁ ଆଣିବା ସହ ବାଡି ପଛପଟେ ପୋତି ଦେଇଥିଲେ। ତେବେ ଭୁବନ ପୋଲିସ କୌଣସି ସୂତ୍ରରୁ ଏ ସମ୍ପର୍କରେ ଖବର ପାଇ ଏସପିଙ୍କୁ ଜଣାଇବା ସହ ଗ୍ରାମରେ ପହଞ୍ଚି ଥିଲା। ଏହାସହ ଏସପି ଓ କାମାକ୍ଷାନଗର ଏସଡିପିଓ ରାତିରେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଆଜି ସକାଳେ ସାଇଣ୍ଟିଫିକ ଟିମ୍ ଓ ଡଗ୍ ସ୍କ୍ୱାର୍ଡ ପହଞ୍ଚିବା ପରେ ମାଟିତଳୁ ନାବାଳିକାର ମୃତଦେହ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା।