ମୋହନା ତ୍ରିପଲ ମର୍ଡର ଘଟଣାରେ ଆଉ ଦୁଇ ଅଭିଯୁକ୍ତ ଗିରଫ  

ମୋହନା: ମୋହନା ତ୍ରିପଲ ମର୍ଡର ଘଟଣାରେ ବୁଧବାର ଗଜପତି ପୋଲିସ ଆଉ ଦୁଇଜଣଙ୍କୁ ଗିରଫ କରିଛି । ଉଭୟେ ଅଭିଯୁକ୍ତ  ଗୋଠକେଳି ଗାଁର। ସେମାନେ ହେଲେ ପବିତ୍ର ବେହେରା ଏବଂ ସନାତନ ବେହେରା। ପୂର୍ବରୁ ଏହି ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ନେଇ ପୁଲିସ ଛଅ ଜଣଙ୍କୁ ଗିରଫ କରିଥିଲା। ସେମାନେ ବି ଗୋଠକେଳି ଏବଂ ଜୁଆନ୍ ପଲ୍ଲୀ ଗାଁର। ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ ପୋଲିସ ମୋଟ ଆଠ ଜଣଙ୍କୁ ଗିରଫ କରିଛି। ଏନେଇ ଆଗକୁ ମଧ୍ୟ ତଦନ୍ତ ଜାରି ରହିବ ବୋଲି ଗଜପତି ଏସ୍.ପି କହିଛନ୍ତି।

ତେବେ କେତେକ ଗଣମାଧ୍ୟମରେ ପ୍ରସାରିତ ଭିଡିଓ ସହ ମୋହନା ଗୋଠକେଳି ଟ୍ରିପଲ୍ ମର୍ଡର ଘଟଣାର କୌଣସି ସମ୍ପର୍କ ନାହିଁ। ଗୋଠକେଳି ଟ୍ରିପଲ୍ ମର୍ଡର ଗତ ମାସ ହୋଇଥିବା ବେଳେ ନିର୍ଦ୍ଦିଷ୍ଟ ଗଣମାଧ୍ୟମରେ ପ୍ରସାରିତ ଭିଡିଓ ଦେଢବର୍ଷ ତଳର। ପୁଣି ଏହି ଭିଡିଓ ଓଡିଶା ନୁହେଁ ଅନ୍ୟ ରାଜ୍ୟର ବୋଲି ଆଜି ଏକ ସାମ୍ୱାଦିକ ସମ୍ମିଳନୀରେ କହିଛନ୍ତି ଗଜପତି ଏସପି ସତ୍ୟଜିତ ନାୟକ। ସେ କହିଛନ୍ତି, ଗଣମାଧ୍ୟମରେ ଏଭଳି ଭିଡିଓ ପ୍ରସାରିତ ହେବା ଦ୍ୱାରା ଲୋକଙ୍କ ଭାବାବେଗକୁ ପ୍ରଭାବିତ କରିବା ସହ ପୋଲିସର ମନୋବଳ ହ୍ରାସ କରିବ। ଦରକାର ପଡିଲେ ଏ ନେଇ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି କହିଛନ୍ତି।