ନରସିଂହପୁର: ଟେଲିଫୋନ ଟାୱାର ନାଁରେ ଏକ କୋଟିରୁ ଅଧିକ ଠକେଇ, ଜଣେ ଗିରଫ

ନରସିଂହପୁର:  ଟେଲିଫୋନ ଟାୱାର କରାଇ ରୋଜଗାର ପନ୍ଥା ଦେବା ନାଁରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଲୋକଙ୍କଠାରୁ ଟଙ୍କା ଠକି ନେଇଥିବା ଅଭିଯୋଗରେ ଜଣେ ଯୁବକକୁ ମାର୍ଶାଘାଇ କରଞ୍ଜ ଗାଁରୁ ଗିରଫ କରିଛି ନରସିଂହପୁର ପୋଲିସ୍। ତା ନାଁ ପ୍ରସନ୍ନ ସାହୁ। ପୋଲିସ ତା’ପାଖରୁ ଗୋଟିଏ କାର୍,  ଗୋଟିଏ ବାଇକ, ୪୮ ହଜାର ଟଙ୍କା ଓ ଠକେଇ ସମ୍ପର୍କିତ କାଗଜପତ୍ର  ଜବତ କରିଛି।

ସେ ନିଜକୁ ଭୁବନେଶ୍ୱରର ଏକ ଟେଲିକମ୍ କଂପାନୀର କର୍ମଚାରୀ ବୋଲି କହି ଲୋକଙ୍କଠାରୁ ଟଙ୍କା ନେଉଥିଲା। କଂପାନୀର ମୁଖ୍ୟ ଅଫିସ୍ ବେଙ୍ଗଲୁରୁ ବୋଲି କହୁଥିଲା। ସବୁ ବେଳେ ଭିନ୍ନ ଭିନ୍ନ ମୋବାଇଲ୍ ନମ୍ବର ବ୍ୟବହାର କରୁଥିଲା। ଗୋଟିଏ ଜାଗାରେ ଠକେଇ କରିବା ପରେ ଉକ୍ତ ମୋବାଇଲକୁ ସୁଇଚ୍ ଅଫ୍ କରୁଥିଲା। ନୂଆ ଜାଗାକୁ ଗଲା ବେଳେ ଆଉ ଏକ ନମ୍ବର ବ୍ୟବହାର କରୁଥିଲା।

ନରସିଂହପୁର ପୋଲିସ ଥାନା ଆଇଆଇସି ହରମୋହନ ନାୟକ କହିଛନ୍ତି, ଅଭିଯୁକ୍ତ ଏହି କାମ ୨୦୧୦ରୁ କରୁଥିବା କହିଛି। ୨୦୧୩ରେ ସେ ଏହି ଠକେଇ ପାଇଁ ଖମାର ଥାନା ପୋଲିସ୍ ଦ୍ୱାରା ଗିରଫ ହୋଇଥିଲା ଏବଂ କୋର୍ଟ ଚାଲାଣ ହୋଇଥିଲା। ସେ କୋଟିଏ ପାଖାପାଖି ଟଙ୍କା ଠକେଇ କରିଥିବା ଅନୁମାନ କରାଯାଉଛି। କାରଣ ପୋଲିସ୍ ତା’ ଘର ଯାଞ୍ଚ କରିଥିଲା। ତା’ ଘରର ମୂଲ୍ୟ ପ୍ରାୟ ୫୦ ଲକ୍ଷ ଟଙ୍କା ହେବ। ତା’ ଘରେ ୨ଟି କାର୍ ଓ ଗୋଟିଏ ବାଇକ୍ ମଧ୍ୟ ଥିଲା। ସେଥିରୁ ଗୋଟିଏ କାର ଜବତ କରାଯାଇଥିବା ବେଳେ ବାଇକଟିକୁ ମଧ୍ୟ ଜବତ କରାଯାଇଛି। ତା’ସହିତ ୪୮ ହଜାର ନଗଦ ଟଙ୍କା ଜବତ କରାଯାଇଛି।