ୱେବସାଇଟ୍ ହ୍ୟାକ୍ ଘଟଣା: କ୍ରାଇମବ୍ରାଞ୍ଚ ଓ ଖଣ୍ଡଗିରି ଥାନାରେ ଲିଖିତ ଅଭିଯୋଗ କଲେ ଓୟୁଏଟି କର୍ତ୍ତୃପକ୍ଷ

ଭୁବନେଶ୍ୱର: ଓୟୁଏଟିର ଅଫିସିଆଲ ୱେବସାଇଟକୁ ହ୍ୟାକ୍ ଘଟଣାରେ ଆଜି କ୍ରାଇମବ୍ରାଞ୍ଚ ଓ ଖଣ୍ଡଗିରି ଥାନାରେ ଓୟୁଏଟି କର୍ତ୍ତୃପକ୍ଷ ଲିଖିତ ଅଭିଯୋଗ କରିଛନ୍ତି। କେହି ଦୁର୍ବୃତ୍ତ ନିଜକୁ ଡନ୍ ବୋଲି କହି ୱେବସାଇଟ୍ ହ୍ୟାକ୍ କରିଥିବା ଶୁକ୍ରବାର ଜଣାପଡ଼ିଥିଲା। ୱେବସାଇଟରେ ଅଶ୍ଲୀଳ ଭାଷାରେ ଲେଖାଯାଇଛି। ୱେବସାଇଟ୍ ହ୍ୟାକ୍ ହୋଇଥିବା ଏବଂ ଏଥିରେ ଅଶ୍ଳୀଳ ଭାଷା ଉଲ୍ଲେଖ ହୋଇଥିବା ନେଇ ଗଣମାଧ୍ୟମ ପ୍ରତିନିଧିମାନେ ଭିସିଙ୍କ ନଜରକୁ ଆଣିଥିଲେ। ଘଟଣା ସଂପର୍କରେ ଜାଣିବା ପରେ ଭିସିଙ୍କ ନିର୍ଦ୍ଦେଶରେ ଏହି ୱେବସାଇଟର ସର୍ଭରକୁ ବନ୍ଦ କରି ଦିଆଯାଇଛି।

ସୂଚନାଯୋଗ୍ୟ, ଏହା ପୂର୍ବରୁ ଗଞ୍ଜାମ ଜିଲ୍ଲା ପରିବହନ କାର୍ଯ୍ୟାଳୟର ୱେବସାଇଟ୍ ହ୍ୟାକ୍ ହୋଇଥିଲା। ଗଞ୍ଜାମ ଜିଲ୍ଲା ପରିବହନ କାର୍ଯ୍ୟାଳୟ ନିଜ ଉଦ୍ୟମରେ ସୂଚନାର ପ୍ରଦାନ ପାଇଁ କରିଥିବା ଏକ ୱେବସାଇଟଟି ହ୍ୟାକ୍ ହୋଇଥିଲା। ଏଥିରେ କୌଣସି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ନ ଥିବା ନେଇ ପରିବହନ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଥିଲା।  ଏହି ୱେବସାଇଟକୁ ଆବାସ ଆବ୍ରାହମ୍ ନାମକ ଜଣେ ବ୍ୟକ୍ତି ହ୍ୟାକ୍ କରିଥିବା ଜଣାପଡ଼ିଥିଲା। ଏଥିରେ ପାକ୍ ସାଇବରକ୍ରିଉ ନାମକ ଏକ ଅଜଣା ସଂଗଠନର ବ୍ୟାନର ପ୍ରଦର୍ଶିତ ହେଉଥିଲା। ସେହିପରି ପାକିସ୍ତାନ ଜିନ୍ଦାବାଦ୍ ବୋଲି ଲେଖାଯିବା ସହ ଅନେକ ଗୁଡ଼ିଏ ଆପତ୍ତିଜନକ ତଥ୍ୟ ଏହି ହ୍ୟାକ୍ ପେଜରେ ଦେଖିବାକୁ ମିଳିଥିଲା। ହ୍ୟାକ୍ ହୋଇଥିବା ୱେବସାଇଟକୁ ଆରଟିଓ କର୍ତ୍ତୃପକ୍ଷ ଲକ୍ କରି ଦେବା ସହ ଥାନାରେ ଏକ ଏତଲା ଦିଆଯାଇଥିଲା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।