ଓୟୁଏଟି ୱେବସାଇଟ ହ୍ୟାକିଂ ମାମଲା: ଗିରଫ ପରେ ବ୍ୟକ୍ତିଗତ ମୁଚଲିକାରେ ଗଲେ ଅଭିଯୁକ୍ତ ତାରିଣୀ

ଭୁବନେଶ୍ୱର: ଓୟୁଏଟି ୱେବସାଇଟ ହ୍ୟାକିଂ ସ୍ୱୀକାର କରିଥିବା ଇଞ୍ଜିନିୟରିଂ ଛାତ୍ର ତାରିଣୀ ପ୍ରସାଦ ସାମନ୍ତରାୟ ଗିରଫ ପରେ ମଙ୍ଗଳବାର ବ୍ୟକ୍ତିଗତ ମୁଚାଲିକାରେ ଯାଇଛନ୍ତି। ଏହି ଘଟଣାରେ ଚାର୍ଜସିଟ ଦାଖଲ କରାଯିବ ବୋଲି ପୋଲିସ କମିଶନର ଆରପି ଶର୍ମା କହିଛନ୍ତି।

ଓୟୁଏଟି ୱେବସାଇଟ୍ କିଭଳି ଆହୁରି ସୁରକ୍ଷିତ ଓ ସଦୃଢ ହୋଇପାରିବ ସେ ନେଇ ଯୋଜନା କରାଯାଇଥିବା ବିଶ୍ୱବିଦ୍ୟାଳୟ କୁଳପତି କହିଛନ୍ତି। ଓୟୁଏଟି ଡିଭଲେପମେଣ୍ଟ ପ୍ଲାନିଂ ଅଧୀନରେ ଥିବା ୱେବସାଇଟ ଅଧିକାରୀଙ୍କୁ ଏ ନେଇ ସେ ନିର୍ଦ୍ଦେଶ ଦେଇଛନ୍ତି।

ଓୟୁଏଟି ୱେବସାଇଟ ଅତି ଦୁର୍ବଳ ଥିବାରୁ ଏହାକୁ ହ୍ୟାକ କରିବା ସହଜ ଥିଲା ବୋଲି ଗତକାଲି ପୋଲିସ ଆଗରେ ଅଭିଯୁକ୍ତ ଇଞ୍ଜିନିୟରିଂ ଛାତ୍ର ତାରିଣୀ ପ୍ରସାଦ ସାମନ୍ତରାୟ କହିଥିଲା। ଓୟୁଏଟି ବ୍ୟତୀତ ଆହୁରି ୬ରୁ ୭ଟି ୱେବସାଇଟକୁ ହ୍ୟାକ କରିବାକୁ ଚେଷ୍ଟା କରିଥିଲା ବୋଲି ସେ କହିଥିଲା। କୌଣସି ମନ୍ଦ ଉଦ୍ଦେଶ୍ୟ ରଖି ସେ ଏପରି କରି ନ ଥିଲା। ସେ ଏକ ଘରୋଇ ଇଂଜିନିୟରିଂ କଲେଜରେ କମ୍ପ୍ୟୁଟର ସାଇନ୍ସ ପଢୁଛି। ଏହାସହ ହ୍ୟାକିଂ କଳା ହାସଲ ପାଇଁ ଏକ କୋର୍ସ ବି କରିଥିବା ପୋଲିସକୁ କହିଛି। ୱେବସାଇଟ ପାସ୍ ୱାର୍ଡକୁ ବ୍ରେକ୍ କରିବାକୁ ଚେଷ୍ଟା କରୁଥିଲା ବେଳେ ହ୍ୟାକ୍ ହୋଇଯାଇଥିବା ନେଇ ସୂଚନା ଦେଇଥିବା ପୋଲିସ୍ କହିଛି। ଗତକାଲି ରାତିରେ ସେ ଖଣ୍ଡଗିରି ଥାନାକୁ ଯାଇ ୱେବସାଇଟ୍ ହ୍ୟାକିଂ କରିଥିବା ସ୍ୱୀକାର କରିଥିଲା।