ଓୟୁଏଟି ୱେବସାଇଟ୍ ହ୍ୟାକିଂ ଘଟଣା: ଭୁବନେଶ୍ୱରର ଘରୋଇ ଇଂଜିନିୟରିଂ କଲେଜ ଛାତ୍ର ତାରିଣୀ ଚିହ୍ନଟ

CPRPSHARMAଭୁବନେଶ୍ୱର: ଓୟୁଏଟିର ଅଫିସିଆଲ ୱେବସାଇଟକୁ ଭୁବନେଶ୍ୱରରୁ କେହି ହ୍ୟାକିଂ କରାଯିବା ନେଇ ପୋଲିସ କରିଥିବା ଅନୁମାନ ସତରେ ପରିଣତ ହୋଇଛି। ହ୍ୟାକିଂ କରିଥିବା ଜଣେ ଇଂଜିନିୟରିଂ ଛାତ୍ର ଖଣ୍ଡଗିରି ଥାନାକୁ ଯାଇ ମାନିଥିବା କମିଶନରେଟ ପୋଲିସ  କହିଛି। ଛାତ୍ର ଜଣଙ୍କ ହେଲେ ତାରିଣୀ ପ୍ରସାଦ ସାମନ୍ତରାୟ। ସେ ଭୁବନେଶ୍ୱରରେ ଏକ ଘରୋଇ ଇଂଜିନିୟରିଂ କଲେଜର ଛାତ୍ର। ପୂର୍ବରୁ ସେ ହିଁ ଏହି ହ୍ୟାକିଂ କରିଥିବା କମିଶନରେଟ ପୋଲିସ ଚିହ୍ନଟ କରିଥିଲା। ପୋଲିସ ଛାତ୍ର ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

ତାରିଣୀଙ୍କ ଘର କଟକରେ। ପୋଲିସ କହିଛି, ସେ ଘରୋଇ ଇଂଜିନିୟରିଂ କଲେଜରେ କମ୍ପ୍ୟୁଟର ସାଇନ୍ସ ପଢୁଛନ୍ତି। ଏହାବାଦ୍ ହ୍ୟାକିଂ କଳା ହାସଲ ପାଇଁ ସେ ଏକ କୋର୍ସ ବି କରିଥିବା ପୋଲିସକୁ କହିଛି। କୌଣସି ମନ୍ଦ ଉଦ୍ଦେଶ୍ୟ ରଖି ସେ ୱେବ୍ ସାଇଟ୍ ହ୍ୟାକ୍ କରି ନାହାନ୍ତି। ୱେବସାଇଟ ପାସ୍ ୱାର୍ଡକୁ ବ୍ରେକ୍ କରିବାକୁ ଚେଷ୍ଟା କରୁଥିଲା ବେଳେ ହ୍ୟାକ୍ ହୋଇଯାଇଥିବା ନେଇ ସୂଚନା ଦେଇଥିବା ପୋଲିସ୍ କହିଛି।

ଏହି ଘଟଣାରେ କିଛି ଛାତ୍ରଙ୍କ ସମ୍ପୃକ୍ତ ଥିବା ନେଇ ସନ୍ଦେହ କରାଯାଉଥିବା ସୋମବାର ପୋଲିସ କମିଶନର ରାଜେନ୍ଦ୍ର ପ୍ରସାଦ ଶର୍ମା ଏହି ସୂଚନା ଦେଇଥିଲେ।

ସେ କହିଥିଲେ, ଓୟୁଏଟିର ଅଫିସିଆଲ୍ ୱେବସାଇଟ୍ ହ୍ୟାକିଂ ହେବା ନେଇ ମାମଲା ରୁଜୁ ହେବା ପରେ ପୋଲିସ୍ ତଦନ୍ତ ଆରମ୍ଭ କରିଦେଇଛି। ହ୍ୟାକ୍ କରାଯାଇଥିବା କମ୍ପ୍ୟୁଟରର ଆଇପି ଆଡ୍ରେସ୍ ଖୋଜିବାକୁ ଚେଷ୍ଟା କରାଯାଉଛି। କିଛି ଆଇପି ଆଡ୍ରେସର ଏକ ତାଲିକା ପ୍ରସ୍ତୁତ କରାଯାଇଛି। ୩୦୦ରୁ ଅଧିକ ଆଇପି ଆଡ୍ରେସ ଓ ମ୍ୟାକ ଆଇଡି ଯାଞ୍ଚ ପରେ ଏହି ସର୍ଟଲିଷ୍ଟ ପ୍ରସ୍ତୁତ କରାଯାଇଛି। ତାଲିକାଭୁକ୍ତ ଆଇପି ଆଡ୍ରେସଗୁଡ଼ିକରୁ ଜଣାପଡୁଛି ଭୁବନେଶ୍ୱରରୁ ହ୍ୟାକିଂ ହୋଇଛି। ଏନେଇ ଦୃଢ଼ ପ୍ରମାଣ ମିଳୁଛି।

ତେବେ ହ୍ୟାକିଂ ପଛରେ କୌଣସି ମନ୍ଦ ଉଦ୍ଦେଶ୍ୟ ନ ଥିବା ଭଳି ଜଣାପଡୁଛି ବୋଲି କହିଥିଲେ କମିଶନର। ସେ କହିଥିଲେ, କିଛି ଆଇଟି ପିଲା ଏହି ହ୍ୟାକିଂ କରିଥିବା ସନ୍ଦେହ କରାଯାଉଛି। ସେମାନେ ଏଥିକାଲ୍ ହ୍ୟାକିଂ ପ୍ରାକ୍ଟିସ୍ କରିବା ବେଳେ ଏପରି କରି ଥାଇପାରନ୍ତି। ତେବେ ଏହା ପଛରେ ସେମାନଙ୍କର ମନ୍ଦ ଉଦ୍ଦେଶ୍ୟ ଥିବା ଭଳି ମନେ ହେଉ ନାହିଁ। କାରଣ ହ୍ୟାକିଂ ପରଠାରୁ ସେମାନେ ଉକ୍ତ ସାଇଟରେ କିଛି ପୋଷ୍ଟ କରି ନାହାନ୍ତି। ତେବେ ହ୍ୟାକ୍ ହୋଇଥିବା ୱେବସାଇଟରୁ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଚୋରି ହୋଇଛି କି ନାହିଁ ତାହା ତଦନ୍ତ ପରେ ହିଁ ଜଣାପଡ଼ିବ।

ଏହି ଘଟଣାରେ ୬୫ ଓ ୬୬ (ସି) ଆଇଟି ଆକ୍ଟ ଅନୁଯାୟୀ ଜାନୁୟାରୀ ୧୬ ତାରିଖରେ ମାମଲା ରୁଜୁ ହୋଇଛି ବୋଲି କମିଶନର ସୂଚନା ଦେଇଛନ୍ତି।

ଓୟୁଏଟିର ଅଫିସିଆଲ୍ ୱେବସାଇଟ୍ ହ୍ୟାକିଂ ହୋଇଥିବା ନେଇ ପ୍ରଥମେ ଗଣମାଧ୍ୟମ ପ୍ରତିନିଧିମାନେ ଜାନୁୟାରୀ ୧୫ ତାରିଖ ରାତିରେ କୁଳପତିଙ୍କୁ ଜଣାଇଥିଲେ। କୁଳପତିଙ୍କ ନିର୍ଦ୍ଦେଶ କ୍ରମେ ପ୍ରଥମେ ୱେବସାଇଟର ସର୍ଭରକୁ ବନ୍ଦ କରି ଦିଆଯାଇଥିଲା। ଏହା ପରେ ୧୬ ତାରିଖରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କ୍ରାଇମବ୍ରାଞ୍ଚ ଓ ଖଣ୍ଡଗିରି ଥାନାରେ ଲିଖିତ ଅଭିଯୋଗ କରିଥିଲେ। କେହି ଦୁର୍ବୃତ୍ତ ନିଜକୁ ଡନ୍ ବୋଲି କହି ୱେବସାଇଟ୍ ହ୍ୟାକ୍ କରିଛି।  ୱେବସାଇଟରେ ଅଶ୍ଲୀଳ ଭାଷାରେ ଲେଖାଯାଇଥିଲା।