ରାୟଗଡ଼ା: ନକ୍ସଲ ନାଁରେ ଧମକାଇ ସାମ୍ବାଦିକ ଗିରଫ

ରାୟଗଡ଼ା: ନକ୍ସଲ ନାଁରେ ପୋଷ୍ଟର ଲଗାଇବା ଏବଂ ଲୋକଙ୍କଠାରୁ ଧମକାଇ ଟଙ୍କା ଆଦାୟ କରିବା ଅଭିଯୋଗରେ ରାୟଗଡ଼ା ପୋଲିସ ଜଣେ ସମ୍ୱାଦିକଙ୍କୁ ଗିରଫ କରିଛି। ତାଙ୍କ ନାଁ ଧନେଶ୍ୱର ରାଉତ। ତାଙ୍କ ଘର କଲ୍ୟାଣସିଂପୁର ଥାନା ଶିଖରପାଇ ଗାଁରେ। ଅଭିଯୋଗ ଅନୁଯାୟୀ ଧନେଶ୍ୱର ଗତ ୩୧ ତାରିଖରେ ପୂଜାରୀଗୁଡ଼ା ଗାଁର ପି. ରମେଶ ନାମକ ଜଣେ ଠିକାଦାରଙ୍କୁ ନକ୍ସଲ ନାଁରେ ପାଞ୍ଚ ଲକ୍ଷ ଟଙ୍କା  ମାଗିଥିଲେ। ଟଙ୍କା ନ ଦେଲେ ପରିବାରର ସମସ୍ତ ଲୋକଙ୍କୁ ଜୀବନରେ ମାରି ଦେବାକୁ ମଧ୍ୟ ଧମକ ଦେଇଥିଲେ।  ଏହାସହ ଗତ ୧୨ ତାରିଖ ଦିନ କଲ୍ୟାଣସିପୁର ବ୍ଳକର ବିଭିନ୍ନ ସ୍ଥାନରେ ମାଓ ପୋଷ୍ଟର ଲଗାଇଥିଲେ।  ଏନେଇ ଥାନାରେ ଏତଲା ହେବା ପରେ ପୋଲିସ ତଦନ୍ତ କରି ତାଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି। ତାଙ୍କଠାରୁ ମାଓପୋଷ୍ଟର ଏବଂ ଏକ ମୋବାଇଲ୍ ଫୋନ୍ ଜବତ କରାଯାଇଛି। ଧନେଶ୍ୱର ନାଁରେ ପୂର୍ବରୁ ଠକେଇ ଏବଂ କାଠଚୋରି ଭଳି ବିଭିନ୍ନ ମାମଲା ରହିଥିବା ପୋଲିସ୍ କହିଛି।