ରୋଜଭ୍ୟାଲି ଚିଟଫଣ୍ଡ ମାମଲା: ଗୌତମକୁ ଚାଲିଛି ଜେରା

ଭୁବନେଶ୍ୱର: ରୋଜଭ୍ୟାଲି ଚିଟଫଣ୍ଡ ଠକେଇ ମାମଲାରେ ସିବିଆଇ ତନାଘନା ଜାରି ରଖିଛି। ମାମଲାରେ କମ୍ପାନୀ ମୁଖ୍ୟ ଗୌତମ କୁଣ୍ଡୁଙ୍କୁ ଆଜି ସିବିଆଇ ଏସଆଇଟି ଯୁଗ୍ମ ନିର୍ଦ୍ଦେଶକ ରାଜୀବ ସିଂହ ଓ ଡିଆଇଜି ଏସ. ବାଗଜି ଜେରା କରୁଛନ୍ତି। ଭୁବନେଶ୍ୱର ସିବିଆଇ କାର୍ଯ୍ୟଳୟରେ ତାଙ୍କୁ ଜେରା କରାଯାଉଛି। ଅଧିକ ତଥ୍ୟ ସଂଗ୍ରହ କରିବା ପାଇଁ ଏହି ଦୁଇ ଅଧିକାରୀ ଓଡ଼ିଶା ଆସିଛନ୍ତି।

ରୋଜଭ୍ୟାଲି ମାମଲାରେ କିଛି ପ୍ରଭାବଶାଳୀ ଓ ରାଜନେତାଙ୍କ ଲିଙ୍କ୍ ରହିଥିବା ସନ୍ଦେହ କରାଯାଉଛି। ଏ ନେଇ କୁଣ୍ଡୁଙ୍କୁ ଜେରା କରାଯାଉଥିବା ସୂଚନା ଚାଲିଛି। ଆସନ୍ତାକାଲି ମଧ୍ୟ ଜେରା ଚାଲିବ। ରୋଜଭ୍ୟାଲି ଅଧ୍ୟକ୍ଷ ଗୌତମ କୁଣ୍ଡୁଙ୍କୁ ସିବିଆଇ ୯ ଦିନିଆ ରିମାଣ୍ଡରେ ଆଣିଛି। ରୋଜଭ୍ୟାଲି କମ୍ପାନୀ ବିରୋଧରେ ଓଡ଼ିଶା ସମେତ ଦେଶର ବିଭିନ୍ନ ସ୍ଥାନରେ ୧୭ ହଜାର କୋଟିରୁ ଅଧିକ ଟଙ୍କା ଠକେଇ ଅଭିଯୋଗ ରହିଛି। ଓଡ଼ିଶାରେ ପ୍ରାୟ ୫୦୦କୋଟି ଟଙ୍କା ଠକେଇ କରିଥିବା ସିବିଆଇ ତା’ର ଚାର୍ଜସିଟରେ ଉଲ୍ଲେଖ କରିଛି। ରୋଜଭ୍ୟାଲିର ମୋଟ ୨୪ଟି କମ୍ପାନୀ ଥିବା ବେଳେ ୩ଟି କମ୍ପାନୀ ମାଧ୍ୟମରେ ଏହି ସବୁ ଅର୍ଥ ଠକେଇ ହୋଇଥିବା ଅଭିଯୋଗ ହୋଇଛି।