ସମ୍ୱଲପୁର: କର୍ଣ୍ଣେଲଙ୍କ ନାଁରେ ମହିଳାଙ୍କ ନିର୍ଯାତନା ଅଭିଯୋଗ

ସମ୍ୱଲପୁର: ସମ୍ୱଲପୁର ଏନସିସି ଗ୍ରୁପ ହେଡକ୍ୱାର୍ଟର୍ସରେ ଅବସ୍ଥାପିତ କର୍ଣ୍ଣେଲ ଏ.ଏନ.ସିଂଙ୍କ ବିରୁଦ୍ଧରେ ଆସିଛି ପ୍ରତାରଣା ଓ ଯୌନ ନିର୍ଯାତନା ଅଭିଯୋଗ। ଅଭିଯୋଗ ଆଣିଛନ୍ତି ମଣିପୁରର ଜଣେ ମହିଳା। ସମ୍ୱଲପୁର ଏସପିଙ୍କ ନିକଟରେ ସେ ଲିଖିତ ଅଭିଯୋଗ କରିବା ପରେ ମହିଳା ଥାନାରେ ମାମଲା ରୁଜୁ କରାଯାଇଛି। ଏସପି କହିଛନ୍ତି ଯେ ଯିଏ ଯେଉଁ ପଦବୀରେ ରହିଲେ ମଧ୍ୟ ଆଇନ ଅନୁସାରେ ପଦକ୍ଷେପ ନିଆଯିବ। ସମ୍ୱଲପୁର ଏସଡିପିଓ ଘଟଣାର ତଦନ୍ତ ଭାର ନେଇଛନ୍ତି।

ପୀଡ଼ିତା କହିଛନ୍ତି, କର୍ଣ୍ଣେଲଙ୍କ ସହ ତାଙ୍କର ଗତ ୨୦୧୩ ମସିହାରୁ ପ୍ରେମ ସମ୍ପର୍କ ରହି ଆସିଥିଲା। ସେମାନେ କିଛି ଦିନ ଏକାଠି ମଧ୍ୟ ରହୁଥିଲେ। ଉଭୟ ପରିବାର ଏକଥା ଜାଣିଥିଲେ। ଅଭିଯୋଗପତ୍ରରେ ସେ ଦର୍ଶାଇଛନ୍ତି ଯେ ବିବାହର ପ୍ରତିଶ୍ରୁତି ଦେଇ କର୍ଣ୍ଣେଲ ତାଙ୍କୁ ବହୁବାର ଯୌନ ନିର୍ଯାତନା ଦେଇଛନ୍ତି। ଗତ ୨୦୧୫ ମସିହା ଡିସେମ୍ୱର ମାସରେ ସେ ବିବାହ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଜାନୁୟାରୀ ୨୨ ତାରିଖରୁ ସେ ସମ୍ୱଲପୁର ଆସି ଅଫିସର ମେସରେ ରହୁଥିଲେ। ତେବେ ୨୫ ତାରିଖ ଦିନ କଣ୍ଣେର୍ଲଙ୍କ ବଡ଼ ଭଉଣୀ ଆସି ତାଙ୍କୁ ମାରପିଟ କରିବା ସହ ନିର୍ଯାତନା ଦେବାରୁ ସେ ଅଫିସର ମେସ୍ ଛାଡ଼ି ଦେଇଛନ୍ତି।

ଅଭିଯୋଗ ହେବା ପରେ ସମ୍ୱଲପୁର ଏସପି କର୍ଣ୍ଣେଲ ଓ ତାଙ୍କ ଭଉଣୀଙ୍କୁ ଅଫିସକୁ ଡକାଇ ପଚରାଉଚରା କରିଛନ୍ତି। ଅଭିଯୋଗ ସମ୍ପର୍କରେ ସଂପୃକ୍ତ କଣ୍ଣେର୍ଲ ଗଣମାଧ୍ୟମ ଆଗରେ କୌଣସି ପ୍ରତିକ୍ରିୟା ରଖି ନ ଥିଲେ।

କଣ୍ଣେର୍ଲ ବିବାହିତ। ତାଙ୍କର ପତ୍ନୀଙ୍କ କିଛି ବର୍ଷ ପୂର୍ବରୁ ଦେହାନ୍ତ ହୋଇଯାଇଛି। ତାଙ୍କର ଗୋଟିଏ ପୁଅ ଅଛି।