ସୁବର୍ଣ୍ଣ ମୋବାଇଲରେ କଥା ହେବା ଘଟଣା: ଜଣେ ହାବିଲଦାର ନିଲମ୍ବିତ

ଭୁବନେଶ୍ୱର: ନବଦିଗନ୍ତ ଚିଟଫଣ୍ଡ ମାମଲାରେ ଅଭିଯୁକ୍ତ ତଥା ଗିରଫ ପୂର୍ବତନ ବିଧାୟକ ସୁବର୍ଣ୍ଣ ନାୟକ କୋର୍ଟ ହାଜିରା ପାଇଁ ଆସିଥିବା ବେଳେ ମୋବାଇଲରେ କଥା ହେବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। କୋର୍ଟ ପରିସରରେ ତାଙ୍କୁ ଅହେତୁକ ଅନୁକମ୍ପା ଦେଖାଇଥିବା ଅଭିଯୋଗରେ ପୋଲିସ ଏସ୍କର୍ଟ ପାର୍ଟିର ହାବିଲଦାର ଦିବାକର ସାହୁଙ୍କୁ ନିଲମ୍ବନ କରାଯାଇଛି। ଏସ୍କର୍ଟରେ ଥିବା ଅନ୍ୟ ୩ ଜଣ କନଷ୍ଟେବଳଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ ହୋଇଛି। ଭୁବନେଶ୍ୱର ଡିସିପି ଏହି କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି ଚିଟଫଣ୍ଡ ମାମଲର କିଛି ଅଭିଯୁକ୍ତ ଫିଜିଓଥେରାପି ନାଁରେ ଘଣ୍ଟାଘଣ୍ଟା ଧରି କ୍ୟାପିଟାଲ୍ ହସ୍ପିଟାଲକୁ ଯାଉଥିବାରୁ ଏହା ଉପରେ ମଧ୍ୟ କଟକଣା ଲଗାଯାଇଛି। ଏଣିକି ନିୟମ କଡାକଡି ମାନିବାକୁ ଏସ୍କର୍ଟ ଟିମକୁ ତାଗିଦ କରାଯାଇଥିବା ଡିସିପି ସତ୍ୟବ୍ରତ ଭୋଇ କହିଛନ୍ତି।