ସ୍ୱସ୍ତିକ ଇଣ୍ଡିଆ ଚିଟଫଣ୍ଡ ଠକେଇ: ଓସିଏ ସମ୍ପାଦକ ଆଶୀର୍ବାଦଙ୍କୁ ସିବିଆଇର ଜେରା

ଭୁବନେଶ୍ୱର: ସ୍ୱସ୍ତିକ ଇଣ୍ଡିଆ ଚିଟଫଣ୍ଡ ଠକେଇ ମାମଲାରେ ସୋମବାର ସିବିଆଇ କାର୍ଯ୍ୟାଳୟରେ ହାଜର ହୋଇଛନ୍ତି ଓସିଏ ସମ୍ପାଦକ ଆଶୀର୍ବାଦ ବେହେରା। ନିକଟରେ ସିବିଆଇ ଦ୍ୱାରା ପୁଣି ଥରେ ଗିରଫ ସ୍ୱସ୍ତିକ ଇଣ୍ଡିଆ ମୁଖ୍ୟ ରଞ୍ଜନ ଦାସ ଓପିଏଲ ଫ୍ରାଞ୍ଚାଇଜି ଟିମ୍ ବାଲେଶ୍ୱର ବାଘାର ମାଲିକ ଥିଲେ। ତେଣୁ ଓପିଏଲରେ ଚିଟଫଣ୍ଡ ପଇସା ବିନିଯୋଗ ହୋଇଥିବା ଆଶଙ୍କାରେ ଆଶୀର୍ବାଦଙ୍କୁ ପଚରାଉଚରା କରାଯାଇଛି।

ଓପିଏଲରେ କେତେ ଚିଟଫଣ୍ଡ ଅର୍ଥ ଲାଗିଛି ଓ ଏହାକୁ କିପରି ଖର୍ଚ୍ଚ କରାଯାଇଛି ସେ ସମ୍ପର୍କରେ ତଥ୍ୟ ସଂଗ୍ରହ କରୁଛନ୍ତି ସିବିଆଇ ଅଧିକାରୀ। ଚିଟଫଣ୍ଡ ସଂସ୍ଥା ଅର୍ଥତତ୍ତ୍ୱ ମଧ୍ୟ ସ୍ପନସର ବାବଦକୁ ଓପିଏଲକୁ ପ୍ରାୟ କୋଟିଏ ଟଙ୍କା ଦେଇଥିଲା। ସେ ସମ୍ପର୍କରେ ମଧ୍ୟ ଆଶୀର୍ବାଦଙ୍କୁ ଜେରା କରାଯାଇଛି। ଏହାକୁ ମିଶାଇ ପଞ୍ଚମ ଥର ପାଇଁ ଆଶୀର୍ବାଦ ସିବିଆଇରେ ହାଜର ହୋଇଛନ୍ତି। ଅନ୍ୟପକ୍ଷରେ ଓସିଏର ଆଉ ୪ ଜଣ କର୍ମଚାରୀଙ୍କୁ ମଧ୍ୟ ପଚରାଉଚରା କରାଯାଇଛି। କିଛିଦିନ ପୂର୍ବରୁ ଏମାନଙ୍କୁ ଜେରା କରାଯାଇଥିଲା।

ଏ ନେଇ ଆଶୀର୍ବାଦ ବେହେରା କହିଛନ୍ତି, ସିବିଆଇ ଅଧିକାରୀମାନେ ୨ ଘଣ୍ଟାଧରି ଅର୍ଥତତ୍ତ୍ୱ ଚିଟଫଣ୍ଡ ବିଷୟରେ ପଚାରିଥିଲେ। ହେଲେ ସ୍ୱସ୍ତିକ ଇଣ୍ଡିଆ ଚିଟଫଣ୍ଡ ଠକେଇ ବିଷୟରେ ସିବିଆଇ କର୍ତ୍ତୃପକ୍ଷ କୌଣସି ପ୍ରଶ୍ନ ପଚାରି ନ ଥିଲେ ବୋଲି ଜେରା ପରେ ଗଣମାଧ୍ୟମକୁ ସେ ସୂଚନା ଦେଇଛନ୍ତି।