୭ ଦଫା ଦାବି ନେଇ ରାଜ୍ୟ ବିଦ୍ୟୁତ୍ ଶ୍ରମିକ କର୍ମଚାରୀ ଓ ଇଞ୍ଜିନିୟରିଂ ସଂଘର ବିକ୍ଷୋଭ

ଭୁବନେଶ୍ୱର: ୭ ଦଫା ଦାବି ନେଇ ଭୁବନେଶ୍ୱରସ୍ଥିତ ଓ.ଇ.ଆର.ସି କାର୍ଯ୍ୟାଳୟ ସମ୍ମୁଖରେ ରାଜ୍ୟ ବିଦ୍ୟୁତ୍ ଶ୍ରମିକ କର୍ମଚାରୀ ଓ ଇଞ୍ଜିନିୟରିଂ  ସଂଘ ଶୁକ୍ରବାର ବିକ୍ଷୋଭ ପ୍ରଦର୍ଶନ କରିଛି। ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ହଜାରରୁ ଅଧିକ ବିଦ୍ୟୁତ୍ ଶ୍ରମିକ ଏହି ବିକ୍ଷୋଭରେ ଯୋଗ ଦେଇଥିଲେ।  ବିଦ୍ୟୁତ୍ କ୍ଷେତ୍ରରେ ଘରୋଇ କରଣ ଓ ଫ୍ରାଞ୍ଚାଇଜ୍ ବନ୍ଦ, ହେଲପର ପଦବୀ ପୂରଣ ସହ ଅସ୍ଥାୟୀ କାର୍ଯ୍ୟରେ ସ୍ଥାୟୀ ଶ୍ରମିକ ନିଯୁକ୍ତି ବନ୍ଦ ଆଦି ଦାବି ନେଇ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏଥିସହ କାର୍ଯ୍ୟରତ ସମସ୍ତ ଠିକା କର୍ମଚାରୀଙ୍କୁ ମାସିକ ସର୍ବନିମ୍ନ ୧୫ହଜାର ଟଙ୍କା ମଜୁରୀ ଦେବା ନିମନ୍ତେ ମଧ୍ୟ ସଂଘ ଦାବି କରିଛି।

ଏହା ପୂର୍ବରୁ ସଂଘ ସଦସ୍ୟମାନେ ଓ.ଇ.ଆର.ସି କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା। ବିଭାଗୀୟ କର୍ତ୍ତୃପକ୍ଷ ଏବେ କୌଣସି ପଦକ୍ଷେପ ଗ୍ରହଣ ନ କରନ୍ତି ତେବେ ଭବିଷ୍ୟତରେ ବିକ୍ଷୋଭ ଜୋରଦାର ହେବ ବୋଲି ଚେତାବନୀ ଦିଆଯାଇଛି ।