ବିଏମସିର ୧୭ ନମ୍ବର ୱାର୍ଡରେ ଉପନିର୍ବାଚନ ଶେଷ,୧୮ରେ ଭୋଟ ଗଣତି

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମର ୧୭ ନମ୍ୱର ୱାର୍ଡରେ ଶନିବାର ଉପନିର୍ବାଚନ ପାଇଁ ମତଦାନ ହୋଇଛି। ମତଦାନ ପ୍ରକ୍ରିୟା ଆଜି ସକାଳ ୮ଟାରୁ ଆରମ୍ଭ ହୋଇ ଅପରାହ୍ନ ୫ଟା ଯାଏଁ ଚାଲିଥିଲା। ବାଣୀବିହାର କ୍ୟାମ୍ପସ, ପଥରବନ୍ଧ ବସ୍ତି ଓ ବିଶ୍ୱେଶ୍ୱର ବସ୍ତିରେ ମୋଟ ୭,୬୦୦ ଭୋଟର ଥିବା ବେଳେ ମତଦାନ ଲାଗି ବାଣୀବିହାର ସ୍କୁଲ୍, ସଂସ୍କୃତ ବିଭାଗ ସମେତ ୱାର୍ଡର ବିଭିନ୍ନ ସ୍ଥାନରେ ମୋଟ ୭ଟି ବୁଥ୍ କରାଯାଇଥିଲା। ଆସନ୍ତା ୧୮ ତାରିଖରେ ଭୋଟ୍ ଗଣନା କରାଯାଇ ଫଳପ୍ରକାଶ କରାଯିବ। ଶୃଙ୍ଖଳିତ ମତଦାନ ପାଇଁ ବ୍ୟାପକ ପୋଲିସ୍ ଫୋର୍ସ ବି ମୁତୟନ ହୋଇଥିଲେ। ୧୭ନମ୍ୱର ୱାର୍ଡରେ ଦ୍ୱିମୁଖୀ ଲଢ଼େଇ ହେଉଥିବା ବେଳେ ବିଜେଡି ପକ୍ଷରୁ ସୁସ୍ମିତା ଦାସ ଓ କଂଗ୍ରେସ ପକ୍ଷରୁ ଅନ୍ନପୂର୍ଣ୍ଣା ଦାଶ ପ୍ରତିଦ୍ୱନ୍ଦିତା କରୁଛନ୍ତି।