ବଲାଙ୍ଗିରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ଆନ୍ଦୋଳନ: ଏସମା ଲାଗୁ ପରେ କାର୍ଯ୍ୟକୁ ଫେରିବାକୁ ରାଜି

ବଲାଙ୍ଗିର: ବଲାଙ୍ଗିରରେ ସେବା ବନ୍ଦ କରି ଆନ୍ଦୋଳନରେ ବସିଥିବା ୭ଟି ୧୦୮ ଆମ୍ବୁଲାନ୍ସର କର୍ମଚାରୀଙ୍କ ବିରୋଧରେ ଏମସା ଲାଗୁ କରାଯାଇଛି। ମୋଟ ୨୧ ଜଣ କର୍ମଚାରୀଙ୍କ ବିରୋଧରେ ଏମସା ଲାଗୁ କରାଯାଇଛି। ଜିଲ୍ଲାପାଳଙ୍କ ସହିତ ଆଲୋଚନା ବିଫଳ ହେବା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି। ଅନ୍ୟପକ୍ଷରେ ଏସମା ଲାଗୁ ନିର୍ଦ୍ଦେଶ ଆସିବା ପରେ ଏହି କର୍ମଚାରୀମାନେ କାର୍ଯ୍ୟରେ ଯୋଗ ଦେବା ପାଇଁ ରାଜି ହୋଇଛନ୍ତି।

ବାଲେଶ୍ୱରରେ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ବଦଳିକୁ ପ୍ରତିବାଦ କରି ସେଠାରେ କର୍ମଚାରୀମାନେ ଆନ୍ଦୋଳନ କରୁଛନ୍ତି। ତାକୁ ସମର୍ଥନ କରି ଆଜି ବଲାଙ୍ଗିରରେ ମଧ୍ୟ ୭ଟି ଆମ୍ବୁଲାନ୍ସ କର୍ମଚାରୀ ଆନ୍ଦୋଳନରେ ଯୋଗ ଦେଇଥିଲେ।

ଜିଲ୍ଲାପାଳ ଏମ୍.ମୁଥୁକୁମାର କହିଛନ୍ତି ଯେ ଜିଲ୍ଲାରେ ମୋଟ ୧୭ଟି ୧୦୮ ଆମ୍ବୁଲାନ୍ସ ଚାଲିଛି। ସେଥିରୁ ୭ଟିର କର୍ମଚାରୀ ବଦଳି ପ୍ରସଙ୍ଗକୁ ନେଇ ଆନ୍ଦୋଳନରେ ବସିଛନ୍ତି। ବାକି ୧୦ଟି ଆମ୍ବୁଲାନ୍ସ ସେବା ଯୋଗାଇ ଦେଉଛନ୍ତି। ଆନ୍ଦୋଳନରତ କର୍ମଚାରୀଙ୍କୁ ନେଇ ଆଜି ଅପରାହ୍ନରେ ଏକ ବୈଠକ ହୋଇଥିଲା। କାମରେ ଯୋଗ ଦେବାକୁ ସେମାନଙ୍କୁ ଅନୁରୋଧ କରାଯାଇଥିଲା। ତେବେ ସେମାନେ ରାଜି ହୋଇ ନ ଥିଲେ। ଆଲୋଚନା ବିଫଳ ହେବା ପରେ ୭ଟି ୧୦୮ ଆମ୍ବୁଲାନ୍ସର ୨୧ ଜଣ କର୍ମଚାରୀଙ୍କ ବିରୁଦ୍ଧରେ ଏସମାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି କର୍ମଚାରୀଙ୍କ ଉପରେ ଏସମା ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏସପିଙ୍କୁ କୁହାଯାଇଛି।