କଟକ: ଛାତ୍ର ବିଜେଡି କର୍ମୀଙ୍କୁ ଛାତ୍ର କଂଗ୍ରେସ କର୍ମୀଙ୍କ ଆକ୍ରମଣ ଅଭିଯୋଗ

କଟକ: କଟକରେ ଆଇନ ମନ୍ତ୍ରୀ ଅରୁଣ ସାହୁଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ ଘଟଣାକୁ ନେଇ ଛାତ୍ର କଂଗ୍ରେସ କର୍ମୀମାନେ ଛାତ୍ର ବିଜେଡିର ସୁଶାନ୍ତ ଦାସଙ୍କୁ ଆକ୍ରମଣ କରିଥିବା କ୍ୟାନଣ୍ଟେନମେଣ୍ଟ ଥାନାରେ ଅଭିଯୋଗ ହୋଇଛି। ଆକ୍ରମଣକାରୀଙ୍କୁ ଗିରଫ ଦାବିରେ ଛାତ୍ର ବିଜେଡି ପକ୍ଷରୁ ଦରଘା ବଜାର ଥାନା ସାମ୍ନା ରାସ୍ତାକୁ ଆଜି ଅବରୋଧ କରାଯାଇଥିଲା।

ଅନ୍ୟପକ୍ଷରେ ଏହି ଅଣ୍ଡାମାଡ଼ ଘଟଣାରେ ଗିରଫ ହୋଇଥିବା ଛାତ୍ର କଂଗ୍ରେସ କର୍ମୀ ନିଞ୍ଜନ ଦାସଙ୍କୁ ଆଜି ଭେଟିଥିଲେ କଂଗ୍ରେସର ପ୍ରତିନିଧି ଦଳ। ପିସିସି ଉପସଭାପତି ସୁରେଶ ମହାପାତ୍ରଙ୍କ ନେତୃତ୍ୱରେ ଏହି ପ୍ରତିନିଧି ଦଳ ଚୌଦ୍ୱାର ଜେଲରେ ତାଙ୍କୁ ଭେଟିଥିଲେ।

ଗୁରୁବାର ମନ୍ତ୍ରୀ ଅରୁଣ ସାହୁ କଟକ ଗସ୍ତ ସମୟରେ ଛାତ୍ର କଂଗ୍ରେସ ପକ୍ଷରୁ ଅଣ୍ଡା ମାଡ଼ କରାଯାଇଥିବା ବେଳେ ଛାତ୍ର ବିଜେଡି ପକ୍ଷରୁ ଏହାକୁ ରୋକା ଯାଇଥିଲା। ଫଳରେ ଉଭୟ ପକ୍ଷ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା।