କଟକରେ ଜଣ୍ଡିସ ସ୍ଥିତିର ଅନୁଧ୍ୟାନ କଲେ ନଗର ଉନ୍ନୟନ ସଚିବ

କଟକ: ନଗର ଉନ୍ନୟନ ବିଭାଗ  ସଚିବ ଜି.ମାତି ଭାତନନ୍  ଆଜି କଟକର ଜଣ୍ଡିସ ପ୍ରଭାବିତ ଅଞ୍ଚଳ ବୁଲି ଦେଖିଛନ୍ତି।   ସେ ଯୋବ୍ରା ଅଞ୍ଚଳ ପରିଦର୍ଶନ କରି ସ୍ଥିତିର ଅନୁଧ୍ୟାନ କରିଥିଲେ। ପରେ ସେ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ଜିଲ୍ଲା ପ୍ରଶାସନ ସହ  ବୈଠକ କରିଥିଲେ।  ବୈଠକରେ  ଜିଲ୍ଲା ପ୍ରଶାସନ ଓ କଟକ ମହାନଗର ନିଗମର ଅଧିକାରୀ ଉପସ୍ଥିତ ଥିଲେ।

ନଗର ଉନ୍ନୟନ ବିଭାଗ  ସଚିବ କହିଛନ୍ତି, “ମୁଖ୍ୟତ ଯୋବ୍ରା ଓ ସୁଇପର କଲୋନୀରେ ଜଣ୍ଡିସ ବ୍ୟାପିଛି। ଗତବର୍ଷ ଏହି  ଦୁଇଟି କଲୋନୀରେ ଲୋକମାନଙ୍କୁ ଜଣ୍ଡିସ  ହୋଇଥିଲା। ଅସ୍ୱାସ୍ଥ୍ୟକର ପରିବେଶ ହିଁ ଜଣ୍ଡିସର ମୁଖ୍ୟକାରଣ। ଲୋକମାନଙ୍କ ଘରେ ଶୌଚାଳୟ  ଅଛି। କିନ୍ତୁ ସେପଟିକ୍ ଟାଙ୍କି ନାହିଁ। ମଇଳା ଗୁଡିକ ଡ୍ରେନରେ ମିଶୁଛି। ଯାହାଫଳରେ ଭୂତଳ ଜଳ ଓ ମାଟି  ପ୍ରଦୂଷଣ ହେଉଛି।  ପ୍ରଭାବିତ ଅଞ୍ଚଳରେ ସ୍ୱତନ୍ତ୍ର ଶୌଚାଳୟ ବ୍ୟବସ୍ଥା କରାଗଲେ ସମସ୍ୟାର ସମାଧାନ ହୋଇପାରିବ।”

ଆଜି ସୁଦ୍ଧା କଟକରେ ଜଣ୍ଡିସ ଆକ୍ରାନ୍ତ ସଂଖ୍ୟା ୫୪ରେ ପହଞ୍ଚିଛି।