ଦାରୁଠେଙ୍ଗରେ ବର୍ଜ୍ୟବସ୍ତୁ ଟ୍ରିଟ୍‌ମେଣ୍ଟ୍ ପ୍ଲାଣ୍ଟକୁ ବିରୋଧ; ପୋଲିସ୍-ଜନତା ମୁହାଁମୁହିଁ

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ଦାରୁଠେଙ୍ଗରେ ପ୍ରସ୍ତାବିତ ବର୍ଜ୍ୟବସ୍ତୁ ଟ୍ରିଟ୍‌ମେଣ୍ଟ୍ ପ୍ଲାଣ୍ଟ୍ କାମ ତୁରନ୍ତ ବନ୍ଦ କରିବା ଦାବିରେ ଆଜି ସ୍ଥାନୀୟ ଲୋକେ ଏକ ଶୋଭାଯାତ୍ରାରେ ନିର୍ମାଣସ୍ଥଳ ଆଡ଼କୁ ଅଗ୍ରସର ହେଉଥିବା ବେଳେ ପୋଲିସ୍ ସହିତ ସେମାନଙ୍କର ଧସ୍ତାଧସ୍ତି ହୋଇଥିଲା। ଗାଁରେ କିଛି ସମୟ ପାଇଁ ଉତ୍ତେଜନାମୂଳକ ସ୍ଥିତି ସୃଷ୍ଟି ହୋଇଥିଲା। ଏହି ପ୍ରସ୍ତାବିତ ବର୍ଜ୍ୟବସ୍ତୁ ଟ୍ରିଟ୍‌ମେଣ୍ଟ୍ ପ୍ଲାଣ୍ଟକୁ ତୁରନ୍ତ ସ୍ଥାନାନ୍ତର କରିବା ପାଇଁ ଗାଁ ଲୋକେ ଦାବି କରିଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ ଡମ୍ପିଂୟାର୍ଡ ଯୋଗୁଁ ଗାଁର ପରିବେଶ ଦୂଷିତ ହୋଇଛି। ଗାଁରେ ଏକ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି।

ଦାରୁଠେଙ୍ଗ ସରପଞ୍ଚ ପ୍ରଶାନ୍ତ ରାଉତରାୟ କହିଛନ୍ତି,“ଡମ୍ପିଂୟାର୍ଡ ଯୋଗୁଁ ଯେଉଁ ଭଳି ଦୁର୍ଗନ୍ଧ ହେଉଛି ସେଥିରେ ଗାଁରେ ରହି ହେଉ ନାହିଁ। ବୁଢ଼ାବୁଢ଼ୀ ଓ ଶିଶୁମାନେ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି। ଗୋରୁଗାଈ ପଲିଥିନ୍ ଖାଇ ମରୁଛନ୍ତି। ଏଣୁ ଆମେ ନିଷ୍ପତ୍ତି ନେଇଛୁ କୌଣସି ପରିସ୍ଥିତିରେ ଏଠାରେ ଆଉ ବିଏମ୍‌ସିକୁ ଅଳିଆ ପକାଇବାକୁ ଦେବୁ ନାହିଁ।”

ଦାରୁଠେଙ୍ଗ ଗାଁ ଲୋକଙ୍କ ବିରୋଧ ପରେ ଡମ୍ପିଂୟାର୍ଡକୁ ତୁଳସୀଦେଇପୁର ସ୍ଥାନାନ୍ତର ଲାଗି ନିଷ୍ପତ୍ତି ହୋଇଥିଲା। ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହୋଇ ନ ଥିବା ବେଳେ ୱେଷ୍ଟ୍ ଟ୍ରିଟ୍‌ମେଣ୍ଟ୍ ପ୍ଲାଣ୍ଟ ନିର୍ମାଣକୁ ଗାଁ ଲୋକେ ଜୋରଦାର ବିରୋଧ କରିଛନ୍ତି। ଅନ୍ୟପକ୍ଷରେ ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା କହିଛନ୍ତି ଯେ ଆଇନ ଅନୁଯାୟୀ ୱେଷ୍ଟ୍ ଟ୍ରିଟ୍‌ମେଣ୍ଟ୍ ପ୍ଲାଣ୍ଟ୍ ନିର୍ମାଣ କରାଯାଉଛି। ଏହି ପ୍ଲାଣ୍ଟକୁ ଲୋକେ ବିରୋଧ ନ କରି ପ୍ରଶାସନକୁ ସହଯୋଗ କରିବା ଲାଗି ସେ ନିବେଦନ କରିଛନ୍ତି।