ଭୁବନେଶ୍ୱରରୁ ଜୟପୁରକୁ ଉଡିଲା ଏୟାର ଓଡ଼ିଶା ବିମାନ

ଜୟପୁର: ସୋମବାରରୁ ଭୁବନେଶ୍ୱରରୁ ଜୟପୁରକୁ ବିମାନସେବା ଆରମ୍ଭ ହୋଇଛି। ଆଜି ସକାଳ ୯.୪୫ରେ ଏୟାର ଓଡିଶା ବିମାନ ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ବାହାରି ସାଢେ ୧୧ଟାରେ ଜୟପୁର ଏୟାର ଷ୍ଟ୍ରିପରେ ପହଞ୍ଚିଥିଲା। ସେଠାରେ ଜୟପୁର ବାସୀ ଆସିଥିବା ଯାତ୍ରୀଙ୍କୁ ସ୍ୱାଗତ ଜଣାଇଥିଲେ। ଆଜିର ବିମାନସେବା ଆରମ୍ଭ ବେଳେ ଭୁବନେଶ୍ୱରରୁ ଜୟପୁର ଅଭିମୁଖେ ପ୍ରଥମ ଯାତ୍ରୀ ଭାବେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, ପଟ୍ଟାଙ୍ଗୀ ବିଧାୟକ ପ୍ରଫୁଲ ପାଙ୍ଗୀ, ପୂର୍ବତନ ବିଧାୟକ ରଘୁରାମ ପାଡାଲ, ବିଜେପି ନେତା ଭୃଗୁ ବକ୍ସିପାତ୍ର, ଜିଲ୍ଲା କଂଗ୍ରେସ ସଭାନେତ୍ରୀ ମୀନାକ୍ଷୀ ବାହିନୀପତି ପ୍ରମୁଖ ଆସିଥିଲେ। ସେମାନଙ୍କୁ ଦଳୀୟ କର୍ମୀମାନେ ସ୍ୱାଗତ କରିଥିଲେ। ସେପଟେ ବିମାନସେବାରେ ଯାତ୍ରୀ ଭଡା ୩୫୦୦ରୁ ୫୫୦୦ ଟଙ୍କା ରହିଛି। ବିମାନସେବା ଆରମ୍ଭ ହେଉଥିବାରୁ ଆଜି ଜୟପୁର ଏୟାରଷ୍ଟ୍ରିପରେ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

ବିମାନ ସେବା ଆରମ୍ଭ ହେବା ପୂର୍ବରୁ ଜାନୁୟାରୀ ୮ତାରିଖରେ ଏୟାର ଓଡିଶା ପକ୍ଷରୁ ପରୀକ୍ଷା ମୂଳକ ଭାବେ ଭୁବନେଶ୍ୱରରୁ ଜୟପୁର ବିମାନ ଉଡାଣ କରି ସମସ୍ତ ଭିତ୍ତିଭୂମି ତଦାରଖ କରିଥିଲେ।