ଆର୍ଥିକ ଅନିୟମିତତା ଅଭିଯୋଗରେ କଣ୍ଡେଇକେଲା ସରପଞ୍ଚ ନିଲମ୍ବିତ

ଲଖନପୁର: ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ କଣ୍ଡେଇକେଲା ପଞ୍ଚାୟତ ସରପଞ୍ଚ ଚନ୍ଦ୍ର ଶେଖର ବେହେରାଙ୍କୁ ଆର୍ଥିକ ଅନିୟମିତତା ଅଭିଯୋଗରେ ନିଲମ୍ବନ କରିଛି ପଞ୍ଚାୟତରାଜ ବିଭାଗ। ସରପଞ୍ଚ ୮ଲକ୍ଷରୁ ଅଧିକ ଟଙ୍କା ଚଞ୍ଚକତା କରିଥିବା ଅଭିଯୋଗ ହୋଇଥିଲା। ଏନେଇ ଲଖନପୁର ବିଡିଓ ଝାରସୁଗୁଡ଼ା ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ। ଏହା ପରେ ଝାରସୁଗୁଡ଼ା ଜିଲ୍ଲାପାଳ କଣ୍ଡେଇକେଲା ଗ୍ରାମ ପଞ୍ଚାୟତର ନିର୍ବାହୀ ଅଧିକାରୀଙ୍କୁ ନିଲମ୍ୱିତ କରିଥିଲେ। ଏଥିସହ ସରପଞ୍ଚଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସରକାରଙ୍କୁ ସୁପାରିଶ କରିଥିଲେ। ଗତ ୧୯ତାରିଖରେ ସରପଞ୍ଚଙ୍କୁ ପଂଚାୟତିରାଜ ବିଭାଗ ନିଲମ୍ୱନ କରିଥିଲା। ୧୫ଦିନ ଭିତରେ ତାଙ୍କ ବିରୋଧରେ କାହିଁକି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବ ତା’ର ଉତ୍ତର ରଖିବାକୁ କୁହାଯାଇଛି।