ମହା ଶିବରାତ୍ରୀ: ରାତି ୧୦ରେ ଉଠିବ ଶ୍ରୀ ଲିଙ୍ଗରାଜଙ୍କ ମହାଦୀପ

ଭୁବନେଶ୍ୱର: ୭ ତାରିଖରେ ଜାଗର ଯାତ୍ରା। ମହାପଭ୍ରୁ ଲିଙ୍ଗରାଜଙ୍କ ଯାତ୍ରା ସୂଚାରୁ ରୂପେ ପାଳନ କରାଯିବା ନେଇ ମନ୍ଦିର ଥାନାରେ ଭୁବନେଶ୍ୱର ଡିସିପିଙ୍କ ସଭାପତିତ୍ୱରେ ଏକ ପ୍ରସ୍ତୁତି ବୈଠକ ହୋଇଯାଇଛି। ବରିଷ୍ଠ ପୋଲିସ୍ ଅଧିକାରୀ ଓ ମନ୍ଦିର ସେବାୟତ ନିଯୋଗ ସମିତି ମଧ୍ୟରେ କିଭଳି ସମନ୍ୱୟ ରଖାଯାଇ ସବୁ କାର୍ଯ୍ୟ ସୁରୁଖୁରୁରେ ହୋଇ ଯିବ ସେ ନେଇ ଆଲୋଚନା ହୋଇଥିଲା। ଶିବରାତ୍ରୀ ରାତି ୧୦ଟାରେ ଲିଙ୍ଗରାଜଙ୍କ ମହାଦୀପ ଉଠିବ ବୋଲି ଜଣାପଡିଛି।

ଜାଗର ଦିନ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେବାକୁ ଥିବାରୁ ୬୦ ବରିଷ୍ଠ ପୋଲିସ୍ ଅଧିକାରୀଙ୍କ ସମେତ ୧୮ ପ୍ଲାଟୁନ ପୋଲିସ୍ ଫୋର୍ସ ମୃତୟନ ହେବେ। ଟ୍ରାଫିକ ବ୍ୟବସ୍ଥା ସହ ସିସିଟିଭି କ୍ୟାମେରା ସଂଖ୍ୟା ମଧ୍ୟ ବଢ଼ାଯାଇଛି। ମୁଖ୍ୟଦ୍ୱାରା ଦେଇ ଭକ୍ତ ପ୍ରବେଶ କରି ଦକ୍ଷିଣଦ୍ୱାର ଦେଇ ବାହାରିବାର ବ୍ୟବସ୍ଥା କରାଯାଇଛି।  ସେହିପରି ଭିଭିଆଇପି ଓ ସେବାୟତ ଦକ୍ଷିଣ ଦ୍ୱାରରେ ପ୍ରବେଶ କରିବେ। ବିଏମସି ପକ୍ଷରୁ ଭ୍ରାମ୍ୟମାଣ ଶୌଚାଳୟ, ପାନୀୟ ଜଳ ଯୋଗାଣ ଆଦି ବ୍ୟବସ୍ଥା ହୋଇଛି।

ସେହିପରି ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ଜାତୀୟ ସ୍ତରୀୟ ଭଜନ ସମାରୋହ ଅନୁଷ୍ଠିତ ହେବ। ଲିଙ୍ଗରାଜ ମନ୍ଦିର ନିକଟ ଭଜନ ମଣ୍ଡପରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ମୁମ୍ବାଇର ବିଶିଷ୍ଠ କଣ୍ଠଶିଳ୍ପୀ ଅନୁରାଧା ପୋଡୱାଲା, କ୍ରୀଷ୍ନା ବେଉରା, ସୁଜିତ କୁମାର, ଦିଲ୍ଲୀର ଭଗବତ କିଶୋର ଓ ରାଜଭିନ୍ଦର କାଉର, ଝାଡଖଣ୍ଡର ପବନ ରାଜ ଓ ସୁସ୍ମିତା ପ୍ରମୁଖ ଭଜନ ପରିବେଷଣ କରିବେ। ଏହାସହ ବିଶିଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ମନ୍ନଥ ମିଶ୍ରଙ୍କ ନିର୍ଦ୍ଦେଶନାରେ ଓଡ଼ିଶାର ବିଶିଷ୍ଠ କଣ୍ଠଶିଳ୍ପୀମାନେ ମଧ୍ୟ ଭଜନ ପରିବେଷଣ କରିବେ। ଏହି ଅବସରରେ  କଣ୍ଠଶିଳ୍ପୀ ଅନୁରାଧା ପୋଡ଼ୱାଲଙ୍କୁ ଏକାମ୍ର ଶ୍ରୀ ସମ୍ମାନ ପ୍ରଦାନ କରାଯିବା ସହିତ ରାଜ୍ୟର ବିଶିଷ୍ଠ ବ୍ୟକ୍ତିମାନଙ୍କୁ ସମ୍ମାନିତ କରାଯିବ ବୋଲି ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ କୁହାଯାଇଛି।