ନୟାଗଡ଼: ଯୁକ୍ତ ଦୁଇ ଛାତ୍ରଙ୍କୁ ଅପହରଣ ଘଟଣାରେ ରାସ୍ତାରୋକ

roadblockନୟାଗଡ଼: ଅପହରଣ କରାଯାଇଥିବା ଜଣେ ଯୁକ୍ତ ଦୁଇ କଲେଜ ଛାତ୍ରଙ୍କୁ ଖୋଜିବାକୁ ପୋଲିସ୍ ତତ୍ପରତା ଦେଖାଉ ନ ଥିବା ଅଭିଯୋଗ କରି ଆଜି ଲକ୍ଷ୍ମୀପ୍ରସାଦଠାରେ ସ୍ଥାନୀୟ ଲୋକେ ଗଛ ପକାଇ ଓ ଟାୟାର ଜାଳି ନୟାଗଡ଼-ଖଣ୍ଡପଡ଼ା ରାସ୍ତା ଅବରୋଧ କରିଥିଲେ। ନୟାଗଡ଼ ଥାନା ଆଇଆଇସି ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ।

ଅଭିଯୋଗ ଅନୁଯାୟୀ, ଯୁକ୍ତ ଦୁଇ ଛାତ୍ର ବାବୁ ବିଶ୍ୱାଳ ଲକ୍ଷ୍ମୀପ୍ରସାଦରେ ନିଜ ମାମୁଁ ଘରେ ରହି ପଢ଼ୁଥିଲେ। ତେବେ ମାର୍ଚ୍ଚ ୧୭ ତାରିଖରେ ତାଙ୍କୁ ଅପହରଣ କରାଯାଇଥିବା ନେଇ ତାଙ୍କ ମାମୁଁ ନୟାଗଡ଼ ଟାଉନ୍ ଥାନାରେ ଅଭିଯୋଗ କରିଥିଲେ।

ବାବୁଙ୍କ ବାପା ଯୋଗେନ୍ଦ୍ର ବିଶ୍ୱାଳ ଅଭିଯୋଗ କରିଛନ୍ତି ଯେ କିଡ୍‌ନୀ ବିକ୍ରି କରିବା ପାଇଁ ତାଙ୍କ ପୁଅକୁ ମାନସ ରତ୍ନ ନାମକ ଜଣେ ବ୍ୟକ୍ତି ଅପହରଣ କରି ନେଇଛି। ଏ ସଂପର୍କରେ ସେ ନୟାଗଡ଼ ଟାଉନ୍ ଥାନାରେ ଅଭିଯୋଗ କରିଥିଲେ। ତେବେ ଘଟଣା ତଦନ୍ତ କରିବା ଦିଗରେ ପୋଲିସ୍ ତତ୍ପରତା ଦେଖାଉ ନାହିଁ। ଓଲଟି ଏ ସଂପର୍କରେ ପଚାରିବାରୁ ଥାନା ଅଧିକାରୀ ଧମକ ଦେଇଥିଲେ। ଜିଲ୍ଲାପାଳଙ୍କ ଅଫିସ୍‌ରେ ବି ଏନେଇ ଅଭିଯୋଗ କରାଯାଇଥିଲେ ବି କିଛି ସୁଫଳ ମିଳୁନି ବୋଲି କହିଛନ୍ତି ଯୋଗେନ୍ଦ୍ର।

ନୟାଗଡ଼ ଟାଉନ୍ ଥାନା ଆଇଆଇସି ନାରାୟଣ ବାରିକ କହିଛନ୍ତି,“ଏ ଅପହରଣ ଘଟଣାର ତଦନ୍ତ ଚାଲିଛି। ଯେଉଁ ବ୍ୟକ୍ତି ଜଣଙ୍କ ଅପହରଣ କରିଛନ୍ତି ବୋଲି ପରିବାର ଲୋକେ ଅଭିଯୋଗ କରୁଛନ୍ତି, ତାଙ୍କ ସଂପର୍କରେ ଆମ ପାଖରେ କିଛି ପ୍ରମାଣ ନାହିଁ। କିଡ୍‌ନୀ ବିକ୍ରି କରିବା ପାଇଁ ଅପହରଣ କରାଯାଇଥିବା ସଂପର୍କରେ ଆମ ପାଖରେ ଅଭିଯୋଗ ହୋଇନାହିଁ।”