ବୁର୍ଲା ଜୁନିଅର ଡାକ୍ତରଙ୍କ ଆନ୍ଦୋଳନ ଜାରି, ସାମିଲ ହେଲେ ସିନିୟର ରେସିଡେଣ୍ଟ୍

ସମ୍ବଲପୁର: ବୁର୍ଲା ଭିଏସ୍ଏସ୍ ମେଡିକାଲ କଲେଜର ଜୁନିଅର ଡାକ୍ତର ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିଛି। ଆନ୍ଦୋଳନରେ ଆଜି ସିନିୟର ରେସିଡେଣ୍ଟ ଡାକ୍ତରମାନେ ସାମିଲ ହେବାରୁ ସ୍ୱାସ୍ଥ୍ୟସେବା ଗୁରୁତର ପ୍ରଭାବିତ ହୋଇଛି। ଗତକାଲି ଆରଡିସିଙ୍କ ସହ ଆଲୋଚନା ବିଫଳ ହେବା ପରେ ଆନ୍ଦୋଳନକାରୀ ଡାକ୍ତରମାନେ ଆଜି ଏକ ପ୍ରତିବାଦ ଶୋଭାଯାତ୍ରାରେ ବୁର୍ଲା ସହର ପରିକ୍ରମା କରିଥିଲେ। ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା ଜିଦରେ ଅଟଳ ରହିଛନ୍ତି ଆନ୍ଦୋଳନରତ ଡାକ୍ତର। ୯ ଦଫା ଦାବି ନେଇ ଗତ ୧୨ ତାରିଖରୁ ଜୁନିୟର ଡାକ୍ତର ସଂଘ ଏହି ଆନ୍ଦୋଳନ ଚଳାଇ ଆସୁଛି। ସେପଟେ ଭିଏସ୍ଏସ୍ ମେଡିକାଲ୍ କଲେଜର ନୂଆ ଅଧ୍ୟକ୍ଷ ଭାବେ ଆଜି କାର୍ଯ୍ୟଭାର ଗ୍ରହଣ କରିଥିବା ପ୍ରଫେସର ବିଜୟ କୁମାର ଦତ୍ତ ସମସ୍ୟାର ଖୁବଶୀଘ୍ର ସମାଧାନ ନେଇ ଆଶାବାଦୀ ଥିବା କହିଛନ୍ତି।