ପୁରୀ ପୌରସଂସ୍ଥାରେ ଅଚଳାବସ୍ଥା ଜାରି: ନଗରପାଳ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଅଫିସରେ ତାଲା ପକାଇଲେ କର୍ମଚାରୀ

ପୁରୀ: ପୁରୀ ପୌର ସଂସ୍ଥାରେ ଲାଗି ରହିଥିବା ଅଚଳାବସ୍ଥା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଗତ ୫ଦିନ ହେବ କର୍ମଚାରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରି ଆସୁଥିବାବେଳେ ଆଜି ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି । ଆନ୍ଦୋଳନରତ କର୍ମଚାରୀମାନେ ପ୍ରଥମେ ନଗରପାଳଙ୍କ ଅଫିସକୁ ଆସି ତାଙ୍କ ପ୍ରକୋଷ୍ଠରେ ତାଲା ପକାଇ ଦେଇଥିଲେ । ପରେ ସେମାନେ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଅଫିସକୁ ଯାଇ ତାଙ୍କୁ ପ୍ରକୋଷ୍ଠ ଖାଲି କରି ଚାଲିଯିବା ପାଇଁ କହିଥିଲେ। ପରିସ୍ଥିତିକୁ ଦେଖି କାର୍ଯ୍ୟନିର୍ବାହୀ ଅଧିକାରୀ ମଧ୍ୟ ଅଫିସ ଛାଡି ଚାଲିଯାଇଥିଲେ।

ସୂଚନାଯୋଗ୍ୟ, ପୌରସଂସ୍ଥାରେ ନଗରପାଳ ଏବଂ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ କ୍ଷମତାକୁ ନେଇ ଟଣାଓଟରା ଚାଲିଛି। କାର୍ଯ୍ୟ ନିର୍ବାହୀ ଅଧିକାରୀ ୮ଜଣ କର୍ମଚାରୀଙ୍କ ବଦଳି ନେଇ ନିର୍ଦ୍ଦେଶନାମା ଜାରି କରିଥିଲେ। ତେବେ ତାଙ୍କ ନିର୍ଦ୍ଦେଶକୁ ନଗରପାଳ ଅମାନ୍ୟ କରିବା ସହ ପୁନର୍ବାର ଏକ ଚିଠି ଜାରି କରିଥିଲେ। ଏହା ପରେ କର୍ମଚାରୀମାନେ କାହା ନିର୍ଦ୍ଦେଶରେ କାମ କରିବେ ତାହାକୁ ନେଇ ଦ୍ୱନ୍ଦ ସୃଷ୍ଟି ହୋଇଥିଲା । ଏପରି ସ୍ଥିତିରେ କର୍ମଚାରୀମାନେ ଗତ ୨୪ ତାରିଖରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଆସୁଛନ୍ତି। ତେବେ ଆଜି କର୍ମଚାରୀଙ୍କ ସହ ନଗରପାଳ ମଧ୍ୟ ଆନ୍ଦୋଳନରେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା ।