ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ପୌଷ ପୂର୍ଣ୍ଣିମା ପାଳିତ, ରଥ ନିର୍ମାଣ ପାଇଁ ପହଞ୍ଚିଲା କାଠ

ପୁରୀ: ଶ୍ରୀମନ୍ଦିରରେ ରବିବାର ପବିତ୍ର ପୌଷ୍ୟ ପୂର୍ଣ୍ଣିମା ଅବସରରେ ମହାପ୍ରଭୁଙ୍କର ପୂଷ୍ୟାଭିଷେକ ପରମ୍ପରା ଓ ରୀତିନୀତି ଅନୁସାରେ ହୋଇଯାଇଛି। ଏହି ଅବସରରେ ଶ୍ରୀଜୀଉ ରତ୍ନସିଂହାସନ ଉପରେ ବିଭିନ୍ନ ପ୍ରକାର ସ୍ୱର୍ଣ୍ଣ ଅଳଙ୍କାରରେ ବିଭୂଷିତ ହୋଇ ରାଜାଧିରାଜ ବେଶ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି।

ପୌଷପୂର୍ଣ୍ଣିମା ତିଥିରେ ମର୍ଯ୍ୟଦା ପୁରୁଷ ଭଗବାନ ଶ୍ରୀରାମ ସିଂହାସନରେ ଅଭିଷିକ୍ତ ହୋଇଥିଲେ। ସେହି ସ୍ମୃତିରେ ଶ୍ରୀମନ୍ଦିରରେ ରଘୁନାଥଙ୍କ ରୂପରେ ଚତୁର୍ଦ୍ଧାମୂର୍ତ୍ତୀଙ୍କ ଅଭିଷେକ ନୀତି କରାଯାଇଥିଲା। ଆଉ ଏହି ଅବସରରେ ମହାପ୍ରଭୁ ରନସିଂହାସନ ଉପରେ ବିଭିନ୍ନ ପ୍ରକାର ସ୍ୱର୍ଣ୍ଣ ଅଳଙ୍କାର ଯଥା ପାଦରେ ଶ୍ରୀପୟର, ହାତରେ ଶ୍ରୀଭୂଜ, କିରୀଟି, ଓଡିଆଣି, କୁଣ୍ଡଳ, ଚନ୍ଦ୍ରସୂର୍ଯ୍ୟ, ଆଡକାନି, ଘାଗଡାମାଳି, କଦମ୍ୱମାଳି, ବାହାଡା ମାଳି ଆଦି ପରିଧାନ ପୂର୍ବକ ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ର ମହାପ୍ରଭୁ ଆୟଧ ଭାବେ ପୁଷ୍ପ ଧନୁସର ଧରି ଭକ୍ତଙ୍କୁ ରାଜାଧିରାଜ ବେଶ ଦର୍ଶନ ଦେଇଥିଲେ।

ସେହିପରି ନୟାଗଡ ଦଶପଲ୍ଲା ବନାଞ୍ଚଳରୁ ୭୧ଖଣ୍ଡ ଅସନ, ଧଉରା, ଫ।ଶୀ କାଠ ଆସି ପ୍ରଥମ ଦଫାରେ ପହଞ୍ଚିଛି। ୧୫ଟି ୧୨ଫୁଟିଆ ଫାଶୀ କାଠ, ୪ଖଣ୍ଡ ୨୦ ଫୁଟିଆ ଅସନ, ୯ଖଣ୍ଡ ଧଉରା, ୮ଖଣ୍ଡ ୧୨ ଫୁଟିଆ ଅସନ, ୧୦ଖଣ୍ଡ ୧୨ ଫୁଟିଆ ଧଉରା ୩ଟି ଟ୍ରକରେ ପହଞ୍ଚିଛି। ଯେଉଁଥିରୁ ୧୨ ଫୁଟିଆ ୩ଖଣ୍ଡ ଧଉରା କାଠକୁ ସରସ୍ୱତୀ ପୂଜା ଦିନ ଶ୍ରୀମନ୍ଦିର ପ୍ରଶାସନ ସମ୍ମୁଖସ୍ଥିତ ରଥଖଳାରେ ପୂଜାର୍ଚ୍ଚନା କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ତତ୍ତ୍ୱବଧାରକ ସୁଦର୍ଶନ ମେକାପ।