ରାୟଗଡ଼ାରେ ମାଓବାଦୀ ପୋତି ଥିବା ଲ୍ୟାଣ୍ଡମାଇନକୁ ବିସ୍ଫୋରଣ କଲା ପୋଲିସ୍

ରାୟଗଡ଼ା: ସୋମବାର ରାତିରେ ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଥାନା ଅନ୍ତର୍ଗତ ହାଟମୁନିଗୁଡ଼ା ନିକଟରେ ରାସ୍ତା କଡ଼ରେ ମାଓବାଦୀଙ୍କ ଦ୍ୱାରା ପୋତା ଯାଇଥିବା ଦୁଇଟି ଲ୍ୟାଣ୍ଡମାଇନକୁ ଆଜି ସକାଳେ ବିସ୍ଫୋରଣ କରି ଦେଇଛି ପୋଲିସ୍। ବମ୍ ସ୍କ୍ୱାଡ୍ ଲ୍ୟାଣ୍ଡମାଇନ ଦୁଇଟିକୁ ବିସ୍ଫୋରଣ କରିଥିଲା। ଲ୍ୟାଣ୍ଡମାଇନ୍ ଦୁଇଟି ୧୦ ରୁ ୧୨ କେଜି ହେବ ବୋଲି ବିଷମକଟକ ଏସଡିପିଓ ଅନନ୍ତ ପ୍ରସାଦ ମଲ୍ଲିକ କହିଛନ୍ତି।

ସେ କହିଛନ୍ତି, ସାଧାରଣତନ୍ତ୍ର ଦିବସ ଅବସରରେ ପୋଲିସ୍ ଓ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍ କରି ମାଓବାଦୀମାନେ ସୋମବାର ରାତିରେ ଏହି ବୋମା ଦୁଇଟିକୁ ରାସ୍ତାକଡ଼ରେ ପୋତି ଥିଲେ। ଗତକାଲି ବୋମା ଦୁଇଟିକୁ ଠାବ କରାଯିବା ପରେ ଉକ୍ତି ଅଞ୍ଚଳକୁ ସିଲ୍ କରି ଦିଆଯାଇଥିଲା ଓ ସିଆରପିଏଫକୁ ସୂଚନା ଦିଆଯାଇଥିଲା। ସେମାନେ ଆସି ଯାଞ୍ଚ କରିବା ପରେ ଲ୍ୟାଣ୍ଡମାଇନ୍ ପୋତା ଯାଇଥିବା ସ୍ପଷ୍ଟ ହୋଇଥିଲା। ତା’ପରେ ସେଗୁଡ଼ିକୁ ସେହି ସ୍ଥାନରେ ହିଁ ବିସ୍ଫୋରଣ କରି ଦିଆଯାଇଥିଲା।