ଥେରୁବାଲି ସ୍ଥିତ ଇମ୍ପା କାରଖାନାରେ ଶ୍ରମିକ ଆନ୍ଦୋଳନ: କମ୍ପାନୀ କର୍ତ୍ତୃପକ୍ଷଙ୍କ ତାଲାବନ୍ଦ ଘୋଷଣା

ରାୟଗଡ଼ା:  ରାୟଗଡ଼ା ଜିଲ୍ଲା ଥେରୁବାଲି ସ୍ଥିତ ଇମ୍ପା କାରଖାନାରେ ଶ୍ରମିକମାନେ ଆନ୍ଦୋଳନ କରିଛନ୍ତି।  କମ୍ପାନୀର କିଛି ପୂର୍ବତନ କର୍ମଚାରୀ ଫାଟକ ଆଗରେ ଗତ ୨୦ତାରିଖରୁ ୩ ଦଫା ଦାବି ନେଇ ଧାରଣାରେ ବସିଛନ୍ତି। କମ୍ପାନୀ ପକ୍ଷରୁ କିଛି କର୍ମଚାରୀଙ୍କୁ ନୂତନ ଏଗ୍ରିମେଣ୍ଟରେ ସ୍ୱାକ୍ଷର କରାଯିବା ବେଳେ ଏହାର ବିରୋଧ କରାଯାଇଥିଲା। କିଛି ପୂର୍ବତନ କର୍ମଚାରୀ ଏଥିରେ ହସ୍ତକ୍ଷେପ କରି ସେମାନଙ୍କ ସହ ଆଲୋଚନା କରିବାକୁ ଚାହିଁଥିଲେ। ତେବେ କମ୍ପାନୀ କର୍ତ୍ତୃପକ୍ଷ ଏହାକୁ ଅଗ୍ରାହ୍ୟ କରିଦେଇଥିଲେ। ଫଳରେ ୨୦୦୫ ମସିହାରୁ ଆଜି ଯାଏଁ କିଛି ଶ୍ରମିକଙ୍କ ସହ ହୋଇଥିବା ଏଗ୍ରିମେଣ୍ଟ ପୂରଣ କରି ବକେୟା ପ୍ରାପ୍ୟ ପ୍ରଦାନ ଦାବିରେ ଆନ୍ଦୋଳନକାରୀ ମାନେ ଧାରଣାରେ ବସିଛନ୍ତି। ମୁଖ୍ୟ ଫାଟକ ଆଗରେ ଧାରଣାରେ ବସିଥିବାରୁ କାହାକୁ  ଭିତରକୁ ଛାଡି ନ ଥିଲେ। ଏହା ପରେ କମ୍ପାନୀ  କର୍ତ୍ତୃପକ୍ଷ ଗତକାଲି ସକାଳୁ ତାଲାବନ୍ଦ ଘୋଷଣା କରିଥିଲେ। ସେପଟେ ଯେଉଁ କର୍ମଚାରୀମାନଙ୍କ ଦାବି କରାଯାଉଛି ସେମାନଙ୍କ ମାମଲାରେ ହାଇକୋର୍ଟରେ ସ୍ଥଗିତାଦେଶ ଦେଇଛନ୍ତି। ତେଣୁ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଏହା କାର୍ଯ୍ୟକାରୀ ହେବ ବୋଲି ଇମ୍ପା କର୍ତ୍ତୃପକ୍ଷ  କହିଛନ୍ତି।