ସମ୍ୱଲପୁର: ପଶ୍ଚିମ ଓଡିଶାର ପୁରାତନ ଲୋକକଳା ‘ସଂଚାର’ର ପ୍ରଚାର ପ୍ରସାର ପାଇଁ ଉଦ୍ୟମ

ସମ୍ୱଲପୁର: ପଶ୍ଚିମ ଓଡିଶାର ପୁରାତନ ଲୋକକଳା ‘ସଂଚାର’  ଏବେ ଲୁପ୍ତ ପ୍ରାୟ। ଦିନ ଥିଲା ସଂଚାରରେ କୌଣସି ଶୁଭ କାମ କି କାର୍ଯ୍ୟକ୍ରମ ହେଉନଥିଲା। ହେଲେ ଆଧୁନିକ ଯୁଗରେ ଆଉ ଆଗ ଭଳି ସଂଚାର ବାଦନ ଦେଖିବାକୁ ମିଳୁନାହିଁ। ପ୍ରୋତ୍ସାହନ ଅଭାବରୁ ଏହି ପୂରାତନ ଲୋକକଳା ହଜିଯିବାକୁ ବସିଛି। ଏପରି ସ୍ଥିତିରେ ପଶ୍ଚିମ ଓଡିଶାର ଏହି ପୂରାତନ ଲୋକ କଳାର ପ୍ରଚାର ପ୍ରସାର ପାଇଁ ପ୍ରୟାସ ଆରମ୍ଭ ହୋଇଛି। ଏଥିପାଇଁ ସୋମବାର ସମ୍ୱଲପୁରର ସମଲେଶ୍ୱରୀ ମଣ୍ଡପରେ ରାଜ୍ୟ ସ୍ତରୀୟ ସଂଚାର ସମ୍ମିଳନୀ ଓ ସମ୍ମାନ ସମାରୋହ ଆରମ୍ଭ ହୋଇଛି। ଦୁଇଦିନ ଧରି ଚାଲିଥିବା ଏହି ସମ୍ମିଳନୀରେ ପଶ୍ଚିମ ଓଡିଶା ସମେତ ପଡୋଶୀ ଛତିଶଗଡ ରାଜ୍ୟର ବହୁ ସଂଚାର କଳାକାର ଅଂଶ ଗ୍ରହଣ କରି ନିଜ ନିଜର ପ୍ରତିଭା ପରିବେଷଣ କରିଥିଲେ। ସମ୍ମିଳନୀରେ ସମ୍ୱଲପୁର ବିଶ୍ୱବିଦ୍ୟାଳୟର କୁଳପତି ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ଏହି ଅବସରରେ ଏକ ସ୍ମରଣିକା ଉନ୍ମୋଚିତ ହୋଇଥିଲା। ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷତା ପ୍ରତିପାଦନ କରିଥିବା ବ୍ୟକ୍ତି ବିଶେଷ ଓ କଳାକାରଙ୍କୁ ଏହି ଅବସରରେ ସମ୍ମାନିତ କରାଯାଇଥିଲା।