୧୭ରୁ ୨୨୦୦ ଏମବିବିଏସ୍ ସିଟ୍ ପାଇଁ କାଉନସେଲିଂ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୧୭ତାରିଖରୁ ରାଜ୍ୟର ମେଡିକାଲ କଲେଜରେ ଥିବା ୨୨୦୦ ଏମବିବିଏସ୍ ସିଟ୍ ପାଇଁ କାଉନସେଲିଂ ପ୍ରକ୍ରିୟା ଆରମ୍ଭ ହେବ । ୧୦ଟି ସରକାରୀ ମେଡିକାଲ କଲେଜ ଓ ହାଇଟେକ୍ ଘରୋଇ ମେଡିକାଲ କଲେଜରେ ମୋଟ୍ ୧୭୦୦ ସିଟ୍ ଥିବାବେଳେ ବାକି ୫୦୦ ସିଟ୍ ଅନ୍ୟ ଦୁଇଟି ଘରୋଇ ମେଡିକାଲ କଲେଜରେ ରହିଛି । ଚଳିତବର୍ଷ ପ୍ରଥମଥର ପାଇଁ ସୁନ୍ଦରଗଡ଼ ଓ କେନ୍ଦୁଝର ସରକାରୀ ମେଡିକାଲ କଲେଜରେ ନାମଲେଖା ହେବ।

ସୂଚନା ଅନୁସାରେ, ଓଜେଇଇ କର୍ତ୍ତୃପକ୍ଷ ୧୦ଟି ସରକାରୀ ମେଡିକାଲ କଲେଜ ଓ ହାଇଟେକ୍ ମେଡିକାଲ କଲେଜର ୧୭୦୦ ଏମବିବିଏସ୍ ସିଟରେ ନାମଲେଖା ପାଇଁ କାଉନସେଲିଂ କରିବେ ଓ ଅନ୍ୟ ୫୦୦ଟି ଏମବିବିଏସ୍ ସିଟ୍ ପାଇଁ ଦୁଇଟି ଘରୋଇ ବିଶ୍ୱବିଦ୍ୟାଳୟ ନିଜର କାଉନସେଲିଂ କରିବେ । କଟକସ୍ଥିତ ଏସସିବି ମେଡିକାଲ କଲେଜ, ବ୍ରହ୍ମପୁରର ଏମକେସିଜି ମେଡିକାଲ କଲେଜରେ ୨୫୦ଟି ଲେଖାଏଁ ସିଟ୍ ଥିବାବେଳେ ଓ ବୁର୍ଲାର ଭୀମସାରରେ ୨୦୦ଟି ଏମବିବିଏସ୍ ସିଟ୍ ରହିଛି । କୋରାପୁଟ ଓ ବାରିପଦା ସରକାରୀ ମେଡିକାଲ କଲେଜରେ ୧୨୫ଟି ଲେଖାଏଁ ଏମବିବିଏସ୍ ସିଟ୍ ଥିବାବେଳେ ବଲାଙ୍ଗିର, ବାଲେଶ୍ୱର, ପୁରୀ, ସୁନ୍ଦରଗଡ଼ ଓ କେନ୍ଦୁଝର ସରକାରୀ ମେଡିକାଲ କଲେଜରେ ୧୦୦ଟି ଲେଖାଁଏ ଏମବିବିଏସ୍ ସିଟ୍ ରହିଛି।

ସେହିପରି ଭୁବନେଶ୍ୱରସ୍ଥିତ ଘରୋଇ ହାଇଟେକ୍ ମେଡିକାଲ କଲେଜରେ ୧୫୦ଟି ଏମବିବିଏସ୍ ସିଟ୍ ଓ ରାଉରକେଲାସ୍ଥିତ ହାଇଟେକ୍ ମେଡିକାଲ କଲେଜରେ ୧୦୦ଟି ଏମବିବିଏସ୍ ସିଟ୍ ଅଛି । ଭୁବନେଶ୍ୱରସ୍ଥିତ କିମସ୍‌, ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲରେ ୨୫୦ଟି ଲେଖାଏଁ ଏମବିବିଏସ୍ ସିଟରେ କାଉନସେଲିଂ ହେବ।

ପ୍ରଥମ ରାଉଣ୍ଡର ଅକ୍ଟୋବର ୧୭ରୁ ୨୮, ଦ୍ୱିତୀୟ ରାଉଣ୍ଡ ନଭେମ୍ବର ୭ ଓ ୧୮, ଶେଷ ପର୍ଯ୍ୟାୟ ଡିସେମ୍ବର ୬ରୁ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡ଼ଇଛି । ନଭେମ୍ବର ୧୫ରୁ ଏମବିବିଏସ୍ ପାଠ୍ୟକ୍ରମ ଆରମ୍ଭ ହେବ ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।