ଇଞ୍ଜିନିୟରିଂ ପଢ଼ିବା ପାଇଁ ଗଣିତ, ଫିଜିକ୍ସ, କେମେଷ୍ଟ୍ରି ଜରୁରୀ ନୁହେଁ

ନୂଆଦିଲ୍ଲୀ: ଇଞ୍ଜିନିଂୟରିଂ ପଢ଼ିବାକୁ ନେଇ ଏଆଇସିଟିଇ ଏକ ବଡ଼ ପରିବର୍ତ୍ତନ କରିଛି। ପୂର୍ବରୁ ଯୁକ୍ତ ୨ ସହିତ ଗଣିତ, ପଦାର୍ଥ ବିଜ୍ଞାନ (ଫିଜିକ୍ସ) ଏବଂ ରସାୟନ ବିଜ୍ଞାନ ବା କେମେଷ୍ଟ୍ରି ପଢ଼ିବା ଅନିର୍ବାର୍ଯ୍ୟ ଥିଲା। ଏବେ ଏଥିରେ ପରିବର୍ତ୍ତନ କରିଛି ଏଆଇସିଟିଇ। ଅର୍ଥାତ୍ ଯୁକ୍ତ ୨ରେ ଜଣେ ଫିଜିକ୍ସ, ଗଣିତ ଓ ରସାୟନ ବିଜ୍ଞାନ ନପଢ଼ି ମଧ୍ୟ ବି.ଇ ଓ ବି.ଟେକରେ ଆଡମିଶନ ନେଇପାରିବ। ଏବେ ଏହି ଦୁଇ ବିଷୟକୁ ସିଲେକ୍ଟିଭ ଭାବରେ ରଖିଛି ଏଆଇସିଟିଇ।

ପୂର୍ବରୁ ବିଟେକରେ ଆଡମିଶନ ପାଇଁ ବିଦ୍ୟାର୍ଥୀଙ୍କୁ ଯୁକ୍ତ ୨ରେ ଗଣିତ, ପଦାର୍ଥ ବିଜ୍ଞାନ ଓ ରସାୟନ ବିଜ୍ଞାନ ଅଧ୍ୟୟନ କରିବାକୁ ପଡୁଥିଲା। କିନ୍ତୁ ବର୍ତ୍ତମାନ ଏହି ସଂଶୋଧନ ପରେ ଗଣିତ, ପଦାର୍ଥ ବିଜ୍ଞାନ ଓ ରସାୟନ ବିଜ୍ଞାନକୁ ଦ୍ୱାଦଶ ଶ୍ରେଣୀରେ ବିଇ ଏବଂ ବିଟେକରେ ଆଡମିଶନ ନେବାକୁ ଇଚ୍ଛାଧୀନ ରଖାଯାଇଛି। ଏଆଇସିଟିଇ ଏହି ସଂଶୋଧନକୁ ଚଳିତ ଶିକ୍ଷାବର୍ଷ ଠାରୁ କାର୍ଯ୍ୟକାରୀ କରିବ।

ବିଭିନ୍ନ ଶିକ୍ଷା ବୋର୍ଡରୁ ଇଞ୍ଜିନିୟରିଂ ଅଧ୍ୟୟନ ପାଇଁ ଆସୁଥିବା ଛାତ୍ରଛାତ୍ରୀମାନଙ୍କୁ ଏହା ଆଶ୍ୱସ୍ତ କରିଛି। ଇଞ୍ଜିନିୟରିଂର ସ୍ନାତକୋତ୍ତର ପାଠ୍ୟକ୍ରମରେ ଆଡମିଶନ ପାଇଁ ଆବେଦନ କରିବାକୁ ଏଆଇସିଟିଇର ସଂଶୋଧିତ ନିୟମ ଅନୁଯାୟୀ, ବିଦ୍ୟାର୍ଥୀ ଦ୍ୱାଦଶରେ ଅତି କମରେ ୪୫ ପ୍ରତିଶତ ମାର୍କ ରଖିବା ଆବଶ୍ୟକ ଏବଂ ୧୪ଟି ବିଷୟରୁ ତିନୋଟି ବିଷୟ ପାସ୍ କରିବା ଅନିର୍ବାର୍ଯ୍ୟ।

ପଦାର୍ଥ ବିଜ୍ଞାନ, ଗଣିତ, ରସାୟନ ବିଜ୍ଞାନ, କମ୍ପ୍ୟୁଟର ସାଇନ୍ସ, ଇଲେକ୍ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତିବିଦ୍ୟା, ଜୀବ ବିଜ୍ଞାନ, ବାୟୋଟେକ୍ନୋଲୋଜି, ପ୍ରଫେସନାଲ୍ ଷ୍ଟଡିଜ୍ ଭଳି ମୋଟ୍ ୧୪ଟି ବିଷୟ ତାଲିକାଭୁକ୍ତ ରହିଛି। ଏହି ସବୁ ବିଷୟ ଗୁଡିକରୁ ଯେକୌଣସି ତିନୋଟି ବିଷୟରେ ସର୍ବନିମ୍ନ ୪୫ ପ୍ରତିଶତ ମାର୍କ ରଖିବାକୁ ହେବ। ଏହା ବ୍ୟତୀତ ସଂରକ୍ଷଣ ବର୍ଗର ଛାତ୍ରମାନଙ୍କ ପାଇଁ ୪୦ ପ୍ରତିଶତ ମାର୍କ ରଖିବାକୁ ହେବ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।