ମେଡିକାଲ ପ୍ରବେଶିକା ପରୀକ୍ଷା ପାଇଁ ତାରିଖ ଘୋଷଣା

ନୂଆଦିଲ୍ଲୀ: ଅଗଷ୍ଟ ୧ରେ ହେବ ଚଳିତ ବର୍ଷ ଏନଇଇଟି ପ୍ରବେଶିକା ପରୀକ୍ଷା। ଜାତୀୟ ପରୀକ୍ଷା ଏଜେନ୍ସି (ଏନଇଟି) ନିଜର ଅଫିସିଆଲ୍ ୱେବସାଇଟରେ ଏମବିବିଏସ ପ୍ରବେଶିକା ପରୀକ୍ଷା ତାରିଖ ଘୋଷଣା କରିଛି। ପରୀକ୍ଷା ପାଇଁ ଆବେଦନ ଖୁବ ଶୀଘ୍ର ଆରମ୍ଭ ହେବ। ଏମବିବିଏସ / ବିଡିଏସ ପାଠ୍ୟକ୍ରମରେ ଆଡମିଶନ କରିବାକୁ ଚାହୁଁଥିବା ବିଦ୍ୟାର୍ଥୀ ଏହି ପ୍ରବେଶିକା ପରୀକ୍ଷା ଦେବେ। ଏଥିପାଇଁ ପ୍ରଥମେ ଆବେଦନ କରିବାକୁ ହେବ। ntaneet.nic.inରେ ଲଗ୍ ଇନ କରି ବିଦ୍ୟାର୍ଥୀ ପଞ୍ଜିକରଣ କରିବେ।

ଏହି ପରୀକ୍ଷା ବର୍ଷରେ ଥରେ ହୁଏ।  ବିଦ୍ୟାର୍ଥୀ ପେନ୍ ଏବଂ ପେପର ମୋଡରେ ଏହି ପରୀକ୍ଷା ଦେବେ। ମେଡିକାଲ ପ୍ରବେଶିକା ପରୀକ୍ଷାରେ ବସିବାକୁ ହେଲେ ବିଦ୍ୟାର୍ଥୀଙ୍କ ସର୍ବନିମ୍ନ ବୟସ ୧୭ ଏବଂ ସର୍ବାଧିକ ବୟସ ୨୫ ବର୍ଷ ବୟସ ହୋଇଥିବା। ଯୁକ୍ତ ୨ ବିଜ୍ଞାନରେ କୌଣସି ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ପାସ କରିଥିବେ ବିଦ୍ୟାର୍ଥୀ। ଏହି ପରୀକ୍ଷା ୧୧ଟି ଭାଷାରେ ହେବ। ଇଂଲିଶ, ହିନ୍ଦୀ, ଓଡ଼ିଆ, ଆସାମୀ, ଗୁଜରାଟି, ବେଙ୍ଗଲୀ, ମରାଠୀ, କନ୍ନଡ, ତେଲୁଗୁ, ତାମିଲ ଏବଂ ଉର୍ଦ୍ଦୁ ଭାଷାରେ ପରୀକ୍ଷା ହେବ। ବିଦ୍ୟାର୍ଥୀ ଯେଉଁ ଭାଷାରେ ପରୀକ୍ଷା ଦେବେ ଆବେଦନପତ୍ରରେ ତାହା ଉଲ୍ଲେଖ କରିବେ।

ଆବେଦନ ଫର୍ମ ସହିତ ସ୍କାନ ହୋଇଥିବା ଡକ୍ୟୁମେଣ୍ଟଗୁଡିକର ଏକ ତାଲିକା ଦାଖଲ କରିବାକୁ ପଡିବ ଯେପରିକି ଦଶମ ଶ୍ରେଣୀ ଏବଂ ଦ୍ୱାଦଶ ଶ୍ରେଣୀର ସାର୍ଟିଫିକେଟ୍ ଏବଂ ମାର୍କସିଟ୍, ଆଧାର କାର୍ଡର ଫଟୋ, ରାସନ କାର୍ଡ ନମ୍ବର, ବ୍ୟାଙ୍କ ଆକାଉଣ୍ଟ, ସ୍କାନ ହୋଇଥିବା ଫଟୋ, ଦସ୍ତଖତ ଏବଂ ଆଙ୍ଗୁଠି ଟିପ ଚିହ୍ନ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।