ମାତ୍ର ୬ ଦିନରେ ପ୍ରକାଶ ପାଇଲା ଜେଇଇ ମେନ୍‌ ରେଜଲ୍ଟ, ଓଡ଼ିଶା ଟପ୍ପର ହେଲେ ଦେବାଶିଷ ପଣ୍ଡା

ନୂଆଦିଲ୍ଲୀ: ରେକର୍ଡ ସୃଷ୍ଟି କରିଛି ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି(ଏନଟିଏ)। ପରୀକ୍ଷା ଶେଷ ହେବାର ମାତ୍ର ୬ ଦିନ ମଧ୍ୟରେ ଜେଇଇ ମେନ୍‌(ମାର୍ଚ୍ଚ ସେସନ)ର ରେଜଲ୍ଟ ଏନଟିଏ ପକ୍ଷରୁ ପ୍ରକାଶ ପାଇଛି। ପୂର୍ବରୁ ଫେବୃଆରୀ ସେସନର ଜେଇଇ ମେନ୍‌ ରେଜଲ୍ଟ ପ୍ରକାଶ ପାଇଥିଲା।

ମାର୍ଚ୍ଚ ସେସନର ଜେଇଇ ମେନ୍‌ ପରୀକ୍ଷା ପାଇଁ ୬,୧୯,୩୬୮ ଜଣ ଶିକ୍ଷାର୍ଥୀ ପଞ୍ଜୀକରଣ କରିଥିଲେ। ଏମାନଙ୍କ ମଧ୍ୟରୁ ପ୍ରାୟ ୫ ଲକ୍ଷ ୯୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ମାର୍ଚ୍ଚ ୧୬ରୁ ୧୮ ଯାଏ ଏହି ପରୀକ୍ଷା ହୋଇଥିଲ

ଏହି ସେସନରେ ମୋଟ ୧୩ ଜଣ ଶିକ୍ଷାର୍ଥୀ ଶତ ପ୍ରତିଶତ ମାର୍କ ରଖିଛନ୍ତି। ସେହିପରି ଓଡ଼ିଶାରୁ ଟପ୍ପର ହୋଇଛନ୍ତି ଦେବାଶିଷ ପଣ୍ଡା। ସେ ମୋଟ ୯୯.୯୫% ମାର୍କ ରଖିଛନ୍ତି। ଶତ ପ୍ରତିଶତ ମାର୍କ ରଖିଥିବା ଶିକ୍ଷାର୍ଥୀମାନେହେଲେ ଦିଲ୍ଲୀର ସିଦ୍ଧାର୍ଥ କଲରା ଓ କାବ୍ୟା ଚୋପ୍ରା, ତେଲେଙ୍ଗାନାର ବାନ୍ନୁରୁ ରୋହିତ କୁମାର ରେଡ୍ଡୀ, ମାଦୁର ଆଦର୍ଶ ରେଡ୍ଡୀ ଓ ଯୋସୟୁଲା ଭେଙ୍କଟ ଆଦିତ୍ୟ, ପଶ୍ଚିମବଙ୍ଗର ବ୍ରାଟିନ ମଣ୍ଡଳ, ବିହାରର କୁମାର ସତ୍ୟଦର୍ଶୀ, ରାଜସ୍ଥାନର ମ୍ରିଦୁଲ ଅଗ୍ରୱାଲ ଓ ଜେନିଥ ମାଲହୋତ୍ରା, ତାମିଲନାଡୁର ଅଶ୍ୱିନ ଅବ୍ରାହମ ଏବଂ ମହାରାଷ୍ଟ୍ରର ଅଥର୍ବ ଅଭିଜିତ ତାମବାଟ ଓ ବକ୍ସି ଗାର୍ଗୀ ମାରକଣ୍ଡ।

ଆଗକୁ ଏପ୍ରିଲ ଓ ମେ’ ସେସନର ଜେଇଇ ମେନ୍‌ ପରୀକ୍ଷା ଅନୁଷ୍ଠିତ ହେବ। ଏହାପରେ ସବୁ ସେସନର ରେଜଲ୍ଟକୁ ମିଶାଇ ଟପ୍‌ ୪ ସ୍କୋରଙ୍କ ନାଁ ଘୋଷଣା କରାଯିବ।

ଏହାପୂର୍ବରୁ ମାର୍ଚ୍ଚ ୮ରେ ଜେଇଇ ମେନ୍‌ ଫେବୃଆରୀ ସେସନର ରେଜଲ୍ଟ ପ୍ରକାଶ ପାଇଥିଲା। ଏଥିରେ ୬ ପରୀକ୍ଷାର୍ଥୀ ଶତପ୍ରତିଶତ ନମ୍ବର ରଖିଥିଲେ। ଫେବୃଆରୀ ମାସରେ ହୋଇଥିବା ପରୀକ୍ଷା ପାଇଁ ମୋଟ ୬,୬୧,୭୭୬ ଜଣ ପିଲା ପଞ୍ଜୀକରଣ କରିଥିଲେ। ସେମାନଙ୍କ ମଧ୍ୟରୁ ୯୫% ଶିକ୍ଷାର୍ଥୀ ପରୀକ୍ଷା ଦେଇଥିଲେ।

ତାଲିକାରେ ଓଡ଼ିଶାର ଗୌତମ ଦାସ ୯୯.୯୯% ରଖି ରାଜ୍ୟ ଟପ୍ପର ହୋଇଥିଲେ। ଫେବୃଆରୀ ସେସନରେ ଶତ ପ୍ରତିଶତ ମାର୍କ ରଖିଥିବା ଶିକ୍ଷାର୍ଥୀମାନେ ହେଲେ ଦିଲ୍ଲୀର ପ୍ରଭର କଟାରିଆ, ରନଜିମ ପ୍ରବଳ ଦାସ, ଚଣ୍ଡିଗଡ଼ର ଗୁରମିତ ସିଂହ, ରାଜସ୍ଥାନର ସକେତ ଝା, ମହାରାଷ୍ଟ୍ରର ସିଦ୍ଧାନ୍ତ ମୁଖାର୍ଜୀ ଓ ଗୁଜରାଟର ଅନନ୍ତ କ୍ରିଷ୍ଣ କାଦମ୍ବୀ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।