‘ଏୟାରଲିଫ୍ଟ’ ଅକ୍ଷୟଙ୍କୁ ବାସ୍ତବ କଥାବସ୍ତୁ ଆଧାରିତ ଫିଲ୍ମ ପାଇଁ ଉତ୍ସାହିତ କରିଛି

ମୁମ୍ବାଇ: ’ଏୟାରଲିଫ୍ଟ’ର ସଫଳତା ପରେ ଉତ୍ସାହିତ ହୋଇପଡ଼ିଛନ୍ତି ଅକ୍ଷୟ କୁମାର। ‘ଏୟାରଲିଫ୍ଟ’ର ସଫଳତା ତାଙ୍କୁ ଅଧିକରୁ ଅଧିକ ବାସ୍ତବ କଥାବସ୍ତୁ ଉପରେ ଆଧାରିତ ଫିଲ୍ମ କରିବାକୁ ଉତ୍ସାହିତ କରିଛି।

ଜାନୁଆରୀ ୨୨ରେ ୱାର୍ ଥ୍ରିଲର ‘ଏୟାରଲିଫ୍ଟ’ ରିଲିଜ୍ ହୋଇଥିଲା। ବକ୍ସ ଅଫିସରେ ଏହା ପାଖାପାଖି ୫୪.୭୦ କୋଟି ଆୟ କରି ସାରିଲାଣି।

ଅକ୍ଷୟ କହିଛନ୍ତି, ‘ଏୟାରଲିଫ୍ଟ ଭଳି ବାସ୍ତବଧର୍ମୀ ଫିଲ୍ମଗୁଡ଼ିକ ସାଧାରଣତଃ ବକ୍ସ ଅଫିସରେ ଅଧିକ ଆୟ କରନ୍ତି ନାହିଁ। କିନ୍ତୁ ‘ଏୟାରଲିଫ୍ଟ‘ର ବକ୍ସ ଅଫିସ୍ ସଫଳତା ବେଶ୍ ଉତ୍ସାହଜନକ। ଆଉ ଏହାକୁ ଦେଖି ମୁଁ ଭାବୁଛି ଅଧିକରୁ ଅଧିକ ଏଭଳି ଫିଲ୍ମରେ ମୁଁ ଅଭିନୟ କରିବା ଉଚିତ୍।’

‘ଏୟାରଲିଫ୍ଟ’ର ୟୁଏସପି ଏହାର ରିୟଲ ଷ୍ଟୋରୀ ଥିଲା ବୋଲି କହିଛନ୍ତି ଅକ୍ଷୟ। ସେ କହିଛନ୍ତି ଯେ ଫିଲ୍ମଟି ବାସ୍ତବ କଥା ଉପରେ ପର୍ଯ୍ୟବସିତ। ପୁଣି ବହୁ ଅଳ୍ପ ଲୋକ ଏ ବିଷୟରେ ଜାଣିଥିଲେ। ଫିଲ୍ମଟି ସଫଳତା ପାଇବ ବୋଲି ତାଙ୍କର ପୂର୍ଣ୍ଣ ବିଶ୍ୱାସ ଥିଲା।

କୁଏତ-ଇରାକ ଯୁଦ୍ଧ ସମୟରେ କୁଏତରୁ ଭାରତ ସରକାର ୧,୭୦,୦୦୦ ଭାରତୀୟଙ୍କୁ ସୁରକ୍ଷିତ ଫେରାଇ ଆଣିଥିଲେ। ଏଥିରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲା ଏୟାର ଇଣ୍ଡିଆ। ଏୟାର ଇଣ୍ଡିଆର ବିମାନରେ କିଭଳି ଭାବେ ଯୁଦ୍ଧଗ୍ରସ୍ତ କୁଏତରୁ ଭାରତକୁ ସୁରକ୍ଷିତ ବାହାର କରାଯାଇଥିଲା, ତାହା ହିଁ ‘ଏୟାରଲିଫ୍ଟ’ରେ ଦର୍ଶାଯାଇଛି।