ବିବାଦରେ ‘ଥ୍ୟାଙ୍କ ଗଡ୍‌’, ସୁପ୍ରିମକୋର୍ଟରେ ପହଞ୍ଚିଲା ମାମଲା

ମୁମ୍ବାଇ: ରିଲିଜ ପୂର୍ବରୁ ବିବାଦରେ ଅପ୍‌କମିଂ ଫିଲ୍ମ ‘ଥ୍ୟାଙ୍କ ଗଡ୍‌’। ଫିଲ୍ମର ରିଲିଜ ଉପରେ ରୋକ ଲଗାଇବାକୁ ଉଠିଛି ଦାବି। ଏପରିକି ଏହି ମାମଲା ଏବେ ସୁପ୍ରିମକୋର୍ଟ ଯାଏ ପହଞ୍ଚିଛି।

ଉକ୍ତ ଫିଲ୍ମରେ ଭଗବାନ ଚିତ୍ରଗୁପ୍ତଙ୍କୁ ଅପମାନିତ କରାଯାଇଥିବା ଅଭିଯୋଗରେ ଚିତ୍ରଗୁପ୍ତ ୱେଲଫେଆର୍ ଟ୍ରଷ୍ଟ ସୁପ୍ରିମକୋର୍ଟରେ ଏକ ମାମଲା ଦାଖଲ କରିଛିି। ଏପରିକି ଫିଲ୍ମ ହଲ୍ ବ୍ୟତୀତ ଓଟିଟି ପ୍ଲାଟଫର୍ମ ଆଦିରେ ମଧ୍ୟ ଏହି ଫିଲ୍ମର ରିଲିଜ ଉପରେ ରୋକ ଲଗାଇବା ପାଇଁ ଆବେଦନରେ ଦାବି ହୋଇଛି ।

ଆବଦେନରେ ଅଭିନେତା ଅଜୟ ଦେବଗନ୍, ସିବିଏଫସି, ନିର୍ଦ୍ଦେଶକ ଇନ୍ଦର କୁମାର, ନିର୍ମାତା ଭୂଷଣ କୁମାରଙ୍କୁ ପକ୍ଷଭୁକ୍ତ କରାଯାଇଛି। ଏଥିସହ ଏହି ଫିଲ୍ମରେ ଭଗବାନ ଚିତ୍ରାଗୁପ୍ତଙ୍କ ଅପମାନ ଯୋଗୁଁ କାୟସ୍ତ ସମ୍ପ୍ରଦାୟର ଭାବନାକୁ ଆଘାତ ପହଞ୍ଚିଥିବା କୁହାଯାଇଛି।

କେବଳ ସେତିକି ନୁହେଁ ଏହି ଫିଲ୍ମ ରିଲିଜ ହେଲେ ଦେଶର ଶାନ୍ତି ଓ ସୌହାର୍ଦ୍ଦ୍ୟ ଉପରେ ଏହାର ପ୍ରଭାବ ପଡିବ ଓ ବିଶୃଙ୍ଖଳିତା ସୃଷ୍ଟି ହେବ। ଭଗବନ ଚିତ୍ରଗୁପ୍ତଙ୍କ ଅପମାନ କାୟସ୍ତ ସମାଜ କେବେ ବି ବରଦାସ୍ତ କରିବ ନାହିଁ ବୋଲି କୁହାଯାଇଛି। ସୂଚନା ମୁତାବକ, କାୟସ୍ତ ସମ୍ପ୍ରଦାୟ ଭଗବାନ ଚିତ୍ରଗୁପ୍ତଙ୍କୁ ପୂଜା କରନ୍ତି।

ଏହାପୂର୍ବରୁ ଏହି ଫିଲ୍ମ ବିରୋଧରେ ଏକ ଏଫ୍‌ଆଇଆର୍ ମଧ୍ୟ ରୁଜୁ ହୋଇଥିଲା। ଅଖିଳ ଭାରତୀୟ କାୟସ୍ତ ମହାସଭା ଇଟାୱାର ଅଧ୍ୟକ୍ଷ ନରନ୍ଦ୍ରେ ରାୟଯାଦା ଅନ୍‌ଲାଇନ୍‌ରେ ଏଫ୍‌ଆଇଆର୍ ରୁଜୁ କରିଥିଲେ। ଫିଲ୍ମରେ ଭଗବାନ ଚିତ୍ରଗୁପ୍ତଙ୍କୁ କଦର୍ଥ କରି ଦେଖାଯିବା ସହ ଅସଭ୍ୟ ଭାଷାର ପ୍ରୟୋଗ କରାଯାଇଥିବା ନେଇ ସେ ଅଭିଯୋଗ କରିଥିଲେ।

ଅଜୟ ଦେବଗନ୍‌, ରକୁଲ ପ୍ରିତ ଓ ସିଦ୍ଧାର୍ଥ ମଲହୋତ୍ରାଙ୍କ ଏହି ଫିଲ୍ମ ଆସନ୍ତା ଅକ୍ଟୋବର ୨୫ରେ ରିଲିଜ ହେବ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।