କେହି କାହାକୁ ପରାମର୍ଶ ଦେଇ ପାରିବେ ନାହିଁ, ନିଜ ଉପରେ ବିଶ୍ୱାସ ରଖିବା ଉଚିତ୍: ଅଜୟ ଦେବଗନ୍

ପାଣାଜି: କେହି କାହାକୁ ପରାମର୍ଶ ଦେଇ ପାରିବେ ନାହିଁ। ଲୋକେ ନିଜ ଉପରେ ବିଶ୍ୱାସ ରଖିବା ଉଚିତ୍। ନିଜକୁ ଅନୁସରଣ କରିବା ଉଚିତ ଏବଂ ନିଜକୁ ବିଶ୍ୱାସ କରିବା ଉଚିତ୍‌। ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫ୍‌ଏଫ୍‌ଆଇ) ଉତ୍ସବରେ ଯୋଗ ଦେଇ ଏହା କହିଛନ୍ତି ବଲିଉଡ୍ ଅଭିନେତା ଅଜୟ ଦେବଗନ୍। ଆଇଏଫ୍‌ଏଫ୍‌ଆଇ ୫୩ ତମ ସଂସ୍କରଣରେ ଯୋଗଦେଇ ଶ୍ରୀ ଦେବଗନ୍ କହିଛନ୍ତି ଯେ ନିଜ ଉପରେ ବିଶ୍ୱାସ ରଖିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ। ରବିବାର ଗୋଆ ଠାରେ ଆଇଏଫ୍‌ଏଫ୍‌ଆଇ ୫୩ ତମ ସଂସ୍କରଣରେ ଯୋଗ ଦେଇ ସେ ଏହା କହିଥିଲେ । ଏହି କାର୍ଯ୍ୟକ୍ରମରେ ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ ସଦସ୍ୟଙ୍କୁ ସମ୍ମାନିତ କରାଯାଇଥିଲା।

ଉଦଘାଟନୀ ସମାରୋହରେ ଅଜୟ ଦେବଗନ୍, ପରେଶ ରାୱଲ, ସୁନୀଲ ସେଟ୍ଟୀ, ମନୋଜ ବାଜପେୟୀ ଏବଂ ଭେଟେରାନ ଲେଖକ ବିଜୟେନ୍ଦ୍ର ପ୍ରସାଦ ପ୍ରମୁଖ ଉପସ୍ଥିତ ଥିଲେ। ଚଳଚ୍ଚିତ୍ର ମହୋତ୍ସବରେ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିବା ଶ୍ରୀ ଦେବଗନ୍ କହିଛନ୍ତି, “ମୁଁ ଚଳଚ୍ଚିତ୍ର ନିର୍ମାଣକୁ ଭଲ ପାଏ। ସେ ଅଭିନୟ ହେଉ କିମ୍ବା ପ୍ରଡକ୍ସନ୍ ହେଉ ଅବା ନିର୍ଦ୍ଦେଶନା, ମୁଁ ଚଳଚ୍ଚିତ୍ରର ପ୍ରତ୍ୟେକ ଦିଗକୁ ଭଲ ପାଏ। ମୋ ପ୍ରତି ସମସ୍ତ ପ୍ରେମ ଓ ଭଲ ପାଇବା ପାଇଁ  ମୁଁ ଧନ୍ୟବାଦ ଜଣାଉଛି ।

ସେ ସମସ୍ତଙ୍କୁ ନିଜ ଉପରେ ବିଶ୍ୱାସ କରିବାକୁ ଅନୁରୋଧ କରିଛନ୍ତି।  କାରଣ କେହି କାହାକୁ କୌଣସି ପରାମର୍ଶ ଦେଇ ପାରିବେ ନାହିଁ। କାର୍ଯ୍ୟକ୍ରମରେ କେନ୍ଦ୍ର ସୂଚନା ଓ ପ୍ରସାରଣ ତଥା ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂହ ଠାକୁର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସେ କହିଥିଲେ ଯେ, ପ୍ରତି ବର୍ଷ ଏହି ଉତ୍ସବ ଦିନକୁ ଦିନ ବଡ ହେବାରେ ଲାଗିଛି । ଚଳିତ ବର୍ଷ ଏଠାରେ ଅନେକ ଫିଲ୍ମର ପ୍ରିମିୟର୍ ହେବାର ଅଛି ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।