୮୦ ବର୍ଷରେ ବଲିଉଡର ଶେହନଶା

ମୁମ୍ବାଇ: ସିନେମାରେ ତାଙ୍କର ଗୋଟିଏ ଝଲକ ହିଁ କାଫି। ଡାଇଲଗ୍, ଯାହା ବର୍ଷ ବର୍ଷ ଧରି ଅନେକଙ୍କୁ ଦିୱାନା କରିଛି। ୫ ଦଶନ୍ଧି ଧରି ଭାରତୀୟ ସିନେମାରେ ଶେହନଶା, ଅମିତାଭ ବଚ୍ଚନ ରାଜ କରୁଛନ୍ତି । ଆଜି ବିଗ୍ ବି ଅମିତାଭ ବଚ୍ଚନଙ୍କ ୮୦ ତମ ଜନ୍ମଦିନ। ଏଥିପାଇଁ ଗତ ରାତିରୁ ହିଁ ତାଙ୍କ ବାହାରେ ଜମିଥିଲା ପ୍ରଶଂସକଙ୍କ ଭିଡ। ବିଗ୍ ବିଙ୍କୁ ତାଙ୍କ ଜନ୍ମଦିନ ଅବସରରେ ସାରା ଦେଶରୁ ଛୁଟୁଛି ଶୁଭେଚ୍ଛାର ଶୁଅ।

ନାମ ଦିନା ନାଥ ଚୌହାନ… ବିଜୟ,ବିଗ୍ ବି, ଶେହନଶା ନା ଅନେକ, ଚରିତ୍ର ବି ଅନେକ ହେଲେ ଚେହେରା ଗୋଟିଏ। ଭାରତୀୟ ସିନେମାର ମହାନାୟକ, ଶତାବ୍ବୀର ଶେହନସା, ଯାହାଙ୍କ ଗୋଟିଏ ଡାଏଲଗ୍ ଫିଲ୍ମକୁ ବ୍ଲକବଷ୍ଟର କରିଦିଏ… ସିଏ ହେଉଛନ୍ତି ଅମିତାଭ ବଚ୍ଚନ। ଚେହେରା ଯେମିତି ଅଭିନୟ ବି ସେମିତି। ଭିଡ଼ ଭିତରୁ ଚିହ୍ନି ହେଉଥିବା ବ୍ୟକ୍ତି, ସିନେମା ଭିତରେ ବାଛି ହେଉଥିବା ଅଭିନେତା। ସେଥିପାଇଁ ତ୍ ଭିଡ଼ ଭିତରେ ଛିଡ଼ା ହୋଇଥିବା ବ୍ୟକ୍ତିଙ୍କୁ ଦୂରରୁ ଦେଖି ଅଭିନୟ କରିବାକୁ ପରାମର୍ଶ ଦେଇଥିଲେ ଶଶି କପୁର।

ଆଜି ଅମିତାଭଙ୍କ ୮୦ତମ ଜନ୍ମଦିନ । ଦେଶ ଓ ବିଦେଶରୁ ତାଙ୍କ ପାଖକୁ ଛୁଟୁଛି ଭଲ ପାଇବା, ଶୁଭେଚ୍ଛା ଓ ଅସୁମାରୀ ଅଭିନନ୍ଦନ । ଦିନେ ଭିଡ଼ ଭିତରେ ଛିଡ଼ା ହୋଇ କାମ ମାଗୁଥିବା ବ୍ୟକ୍ତି ଆଜି ସିନେମାର ପୋଷ୍ଟର ବୟ । ତାଙ୍କର ଗୋଟିଏ ଝଲକ ଦିଓ୍ବାନା କରିଦିଏ ପିଲାଠୁ ବୟସ୍କ ସମସ୍ତଙ୍କୁ। ସୋଶାଲ ମିଡିଆ ଯୁଗରେ ବି ଅନେକ ଯୁବ ଅଭିନେତାଙ୍କୁ ପଛରେ ପକାଇ ବିଗ୍ ବି ହିଟ୍।

ଆଲ୍ଲାବାଦ୍‌ରେ ବିଶିଷ୍ଠ ଲେଖକ ହରିବଂଶ ରାୟ ବଚ୍ଚନଙ୍କ ପରିବାରରେ ୧୧ ନଭେମ୍ବର ୧୯୪୨ରେ ଜନ୍ମ ହୋଇଥିଲେ ଅମିତାଭ । ସେନାରେ ଭର୍ତ୍ତି ହେବାକୁ ସ୍ବପ୍ନ ଦେଖିଥିବା ଅମିତାଭ କିନ୍ତୁ ପରବର୍ତ୍ତି ସମୟରେ ସିନେମା ଜଗତକୁ ଟାଣି ହୋଇ ଆସିଥିଲେ । ନିଜ ଲମ୍ବା ଚେହେରା ପାଇଁ ବାରମ୍ବାର ପ୍ରତ୍ୟାଖାନର ସମ୍ମୁଖିନ ହେବା ପରେ ଅଲ୍ ଇଣ୍ଡିଆ ରେଡିଓରେ ଭାଗ୍ୟ ପରୀକ୍ଷା କରିଥିଲେ। ହେଲେ ସେଠୁ ବି ଦୁଇ ଥର ତାଙ୍କୁ ମିଳିଥିଲା ରିଜେକସନ୍।

ଶେଷରେ ୧୯୬୯ ମୃଣାଳ ସେନ୍‌ଙ୍କ ବଙ୍ଗଳା ଫିଲ୍ମରେ ଭଏସ୍ ଓଭର୍ ଦେଇଥିଲେ ଅମିତାଭ। ଏହାପରେ ସେହିବର୍ଷ ସାଥ୍ ହିନ୍ଦୁସ୍ତାନିରେ ଅଭିନୟ କରିଥିଲେ ବଚ୍ଚନ। ହେଲେ ୧୯୭୩ର ଫିଲ୍ମ ଜଞ୍ଜିର ତାଙ୍କୁ ଚଖାଇଥିଲା ସଫଳତାର ସ୍ବାଦ। ଏହା ପୂର୍ବରୁ ସେ ୧୨ଟି ଫ୍ଲପ୍ ସିନେମା ଦେଇଥିଲେ। ଏହାପରେ କାଳିଆ, ଅମର ଅକବ୍ବର ଆନ୍‌ଥୋନୀ, ସତେ ପେ ସତା, ଦିଓ୍ବାର, ଡନ୍, ସୋଲେ ଭଳି ଏକାଧିକ ହିଟ୍ ଫିଲ୍ମ ତାଙ୍କୁ ଭାରତର ବଡ଼ ଷ୍ଟାର ଭାବେ ଦେଇଥିଲା ପରିଚୟ।

୧୯୮୩ର କୁଲି ଫିଲ୍ମର ଫାଇଟ୍ ସିନ୍ ସୁଟି ବେଳେ ଗୁରୁତର ଭାବେ ଆହତ ହୋଇଥିଲେ ଅମିତାଭ। କୁହାଯାଏ, ଫ୍ୟାନ୍‌ଙ୍କ ଅଶୁମାରୀ ଭଲ ପାଇବା ତାଙ୍କୁ ଦେଇଥିଲା ପୁନଃଜନ୍ମ । ଅମିତାଭ ଦୁଇ ହାତରେ ଲେଖିପାରନ୍ତି, ଆଉ ଏକାସଙ୍ଗେ ଦୁଇଟି ଘଣ୍ଟା ପିନ୍ଧନ୍ତି । ପରଦାରେ ଯେତେ ହିଟ୍ ଅମିତାଭ ସେତେ ଫିଟ୍ ମଧ୍ୟ। ୨୦୦୭ ସୁଟ୍ ବଉଟ୍ ଆଟ୍ ଲୋଖଣ୍ଡଓ୍ବାଲାର ସୁଟିଂ ବେଳେ ସେ ଏକାଥରେ ୫ ଘଣ୍ଟାରେ ୨୩ଟି ସିନ୍ ସାରିଥିଲେ।

ଅମିତାଭଙ୍କ ୮୦ତମ ଜନ୍ମଦିବସ ଅବସରରେ ଦେଶରେ ଏହାକୁ ଏକ ନିଆରା ଢଙ୍ଗରେ ପାଳନ କରାଯାଉଛି। ବଚ୍ଚନଙ୍କ କିଛି ଆଇକନିକ୍ ଫିଲ୍ମକୁ ଥିଏଟରରେ ରିଲିଜ୍ କରାଯାଇଛି । ଡନ୍, ସୁହାଗ, କୁଲି, ଅମର ଅକବର ଆନ୍‌ଥୋନି ଭଳି ସିନେମାକୁ ଦେଖୁଛନ୍ତି ଦର୍ଶକ। ତାସହ ନିକଟରେ ରିଲିଜ୍ ହୋଇଥିବା ଗୁଡ୍ ବାଏ ସିନେମାକୁ ୮୦ ଟଙ୍କାରେ କିଛି ମଲ୍ଟି ପ୍ଲେକ୍ସରେ ଦେଖିପାରିବେ ଦର୍ଶକ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।