ଓସ୍କାର ଏଣ୍ଟ୍ରୀ ଭାରତୀୟ ଫିଲ୍ମର ରିଲିଜ୍‌ ପୂର୍ବରୁ ଚାଲିଗଲେ ଶିଶୁ କଳାକାର

ମୁମ୍ବାଇ: ଏକମାତ୍ର ଭାରତୀୟ ଫିଲ୍ମ ଭାବେ ଓସ୍କାର ୨୦୨୩ରେ ପ୍ରବେଶ କରିଥିବା ଗୁଜରାଟୀ ଫିଲ୍ମ ‘ଛେଲୋ ଶୋ’ ବା ଲାଷ୍ଟ ଫିଲ୍ମ ଶୋ’ ଆଉ କିଛି ଦିନ ପରେ ରିଲିଜ୍‌ ହେବ। ହେଲେ ଫିଲ୍ମର ରିଲିଜ୍‌ ପୂର୍ବରୁ ଆସିଛି ଦୁଃଖଦ ଖବର। ଏହି ଫିଲ୍ମରେ ଥିବା ୬ ଜଣ ଶିଶୁ କଳାକାରଙ୍କ ମଧ୍ୟରୁ ୧୫ ବର୍ଷୀୟ ରାହୁଲ କୋଲି ଆଉ ନାହାନ୍ତି। ଫିଲ୍ମଟି ଓସ୍କାର ପୁରସ୍କାର ଦୌଡ଼ରେ ସାମିଲ ହୋଇଥିବାରୁ ଏହାର ୬ ଶିଶୁକଳାକାର ରାତିରାତି ଷ୍ଟାର ବନି ଯାଇଥିଲେ। କିନ୍ତୁ ରାହୁଲ ଅକ୍ଟୋବର ୨ ତାରିଖରୁ ସମସ୍ତଙ୍କୁ ଛାଡ଼ି ପରପାରିକୁ ଚାଲି ଯାଇଛନ୍ତି।

ମିଳିଥିବା ସୂଚନା ଅନୁସାରେ, ରାହୁଲ ମାରାତ୍ମକ ଲିକୋମିଆ(Leukemia) ରୋଗରେ ପୀଡ଼ିତ ଥିଲେ। ଏହା ଏକ ରକ୍ତ ଜନିତ କର୍କଟ ରୋଗ। ଏଥିପାଇଁ ୪ ମାସ ହେଲା ତାଙ୍କର ଚିକିତ୍ସା ଚାଲିଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ରାହୁଲଙ୍କ ପାଇଁ ସୋମବାର ଗୁଜରାଟର ଜାମନଗର ସ୍ଥିତ ହାପାରେ ଶୋକସଭା ଆୟୋଜନ କରାଯାଇଥିଲା।

ତାଙ୍କ ବାପା ରାମୁ କୋଲି ଜଣେ ଅଟୋ ଚାଳକ। ପୁଅର ଦେହାନ୍ତ ସମ୍ପର୍କରେ ସେ କହିବା ବେଳେ ସଂପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ। ତାଙ୍କ କହିବା କଥା ହେଉଛି ରାହୁଲ କୋଲି ପ୍ରଥମେ ଜ୍ୱର ଅନୁଭବ କରିଥିଲେ। ପରିବାର ଲୋକ ଏହାକୁ ସାଧାରଣ ଜ୍ୱର ଭାବି ଚିକିତ୍ସା ମଧ୍ୟ କରିଥିଲେ। ହେଲେ କିଛି ସମୟ ଜ୍ୱର ଛାଡ଼ୁଥିବା ବେଳେ ପୁଣି ଏହା ଫେରୁଥିଲା।

ତାଙ୍କ ଅବସ୍ଥା ଧୀରେଧୀରେ ଗୁରୁତର ହେବାରୁ ପରିବାର ଲୋକେ ପ୍ରଥମେ ତାଙ୍କୁ ଜାମନଗର ହସ୍ପିଟାଲକୁ ନେଇଥିଲେ। ସେଠାରେ କୌଣସି ସୁଫଳ ନ ମିଳିବାରୁ ଶେଷରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ଅହମଦାବାଦ ଅଣା ଯାଇଥିଲେ। ରବିବାର ଅକ୍ଟୋବର ୨ ତାରିଖ ସକାଳେ ରାହୁଲ ବ୍ରେକଫାଷ୍ଟ କରିଥିଲେ। ଖାଦ୍ୟ ଖାଇବାର କିଛି ଘଣ୍ଟା ପରେ ତାଙ୍କୁ ଭୀଷଣ ଜ୍ୱର ହୋଇଥିଲା। ସେ ୩ ଥର ରକ୍ତବାନ୍ତି ମଧ୍ୟ କରିଥିଲେ। ଶେଷରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ ବୋଲି ବାପା ରାମୁ ସୂଚନା ଦେଇଛନ୍ତି।

ସେ ଆହୁରି କହିଛନ୍ତି, “ଏହି ଖବର ଆମ ପରିବାର ସଂପୂର୍ଣ୍ଣ ଭାବେ ଭାଙ୍ଗି ଦେଇଛି। କିନ୍ତୁ ଆମେ ତା’ର ଫିଲ୍ମ ଲାଷ୍ଟ ଫିଲ୍ମ ଶୋ’କୁ ଦେଖିବୁ। ଶୁଦ୍ଧିକ୍ରିୟା ଶେଷ ହେବା ପରେ ଆମେ ସମସ୍ତେ ଫିଲ୍ମକୁ ଦେଖିବୁ। ମୋର ୩ ପିଲାଙ୍କ ମଧ୍ୟରୁ ରାହୁଲ ବଡ଼। ଆମେ ଗରିବ। କିନ୍ତୁ ରାହୁଲର ସ୍ୱପ୍ନ ପୂରଣ କରିବାକୁ ଆମେ ଚେଷ୍ଟା କରିଥିଲୁ। ତା’ର ଚିକିତ୍ସା ପାଇଁ ମୁଁ ମୋର ଅଟୋ ମଧ୍ୟ ବିକି ଦେଇଥିଲି। ହେଲେ ଫିଲ୍ମ କ୍ରୁ ଏକଥା ଜାଣିବା ପରେ ସେମାନେ ମୋତେ ଅଟୋ ପୁଣି ଆଣି ଦେଇଥିଲା।”

ଲାଷ୍ଟ ଫିଲ୍ମ ଶୋ’ର ନିର୍ଦ୍ଦେଶକ ପାନ ନଳୀନ ମଧ୍ୟ ଏହି ଘଟଣାରେ ମର୍ମାହତ ହୋଇଛନ୍ତି। ସେ କହିଛନ୍ତି, ଆମେ ସମସ୍ତେ ପରିବାର ଲୋକଙ୍କ ସହ ରାହୁଲ ପାଖରେ ରହିଥିଲୁ। କିନ୍ତୁ ଶେଷରେ ତାଙ୍କୁ ରକ୍ଷା କରିବା ସମ୍ଭବ ହୋଇପାରିଲାନାହିଁ। ଏହାଠାରୁ ବଡ଼ ଦୁଃଖ ଖବର କିଛି ହୋଇ ନପାରେ।

ସୂଚନାଯୋଗ୍ୟ, ଗୁଜରାଟୀ ଫିଲ୍ମ ଛେଲୋ ଶୋର ଇଂରାଜୀ ଟାଇଟଲ ହେଉଛି ଲାଷ୍ଟ ଫିଲ୍ମ ଶୋ’। ଆସନ୍ତାବର୍ଷ ମାର୍ଚ୍ଚ ମାସରେ ୯୫ତମ ଏକେଡେମୀ ପୁରସ୍କାର ଉତ୍ସବ (ଓସ୍କାର)ରେ ଏହି ଫିଲ୍ମ ସାମିଲ ହୋଇଛି। ବେଷ୍ଟ ଇଣ୍ଟରନ୍ୟାଶଲ ଫିଚର ଫିଲ୍ମ ବର୍ଗରେ ଛେଲୋ ଶୋ’କୁ ଚୟନ କରାଯାଇଛି। ଛେଲୋ ଶୋ’ ଆସନ୍ତା ଅକ୍ଟୋବର ୧୪ରେ ଇଂରାଜୀ ଭାଷାର ଟାଇଟଲ ‘ଲାଷ୍ଟ ଫିଲ୍ମ ଶୋ’ ନାଁରେ ସାରା ଦେଶର ଥିଏଟରରେ ମୁକ୍ତିଲାଭ କରିବ।
ଜୁନ ୨୦୨୧ରେ ଏହାର ବିଶ୍ୱ ପ୍ରିମିୟର ହୋଇଥିଲା। ପାନ ନଳୀନଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ମୁଖ୍ୟ ଭୂମିକାରେ ଭବିନ ରାବରୀ, ଭବେଶ ଶ୍ରୀମାଲି, ରିଚା ମୀନା, ଦିପେନ ରାଭଲ ଓ ପରେଶ ମେହେଟ୍ଟା ପ୍ରମୁଖ ରହିଛନ୍ତି। ଛେଲୋ ଶୋ’ ହେଉଛି ଜଣେ ୯ ବର୍ଷର ଛୋଟ ପିଲାର ଜୀବନର କାହଣୀକୁ ନେଇ ଗତିଶୀଳ। ପିଲାଟି ଦିନରୁ ସିନେମା ପ୍ରତି ତା’ର ଅହେତୁକ ଆଗ୍ରହ ରହିଛି।

ସେ ଫିଲ୍କ ତିଆରି କରିବାକୁ ଲକ୍ଷ୍ୟ ନେଇ ଆଗକୁ ବଢ଼ୁଛି। ଏହି ସମୟରେ ତା’ ସହ କ’ଣ ସବୁ ଘଟୁଛି ଓ ସେ କେମିତି ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚୁଛି, ସେସବୁ ସିନେମାରେ ନିର୍ଦ୍ଦେଶକ ଦେଖାଇବାକୁ ଚେଷ୍ଟା କରିଛନ୍ତି। ରୟ କପୁର ଓ ଅରେଞ୍ଜ ଷ୍ଟୁଡିୟ ପକ୍ଷରୁ ଫିଲ୍ମଟିକୁ ପ୍ରଯୋଜନା କରାଯାଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।