‘ବିବାହରେ ଯୋଗଦେବା ପାଇଁ ଟଙ୍କା ନିଅନ୍ତି ବଲିଉଡ୍ ଷ୍ଟାର୍, ଶୁଣି ସ୍ତବ୍ଧ ହୋଇଥିଲେ ଦିଲ୍ଲୀପ କୁମାର’

ମୁମ୍ବାଇ: ଜୁଲାଇ ୭ ତାରିଖରେ ବଲିଉଡର ଟ୍ରାଜେଡୀ କିଙ୍ଗ୍ ଦିଲ୍ଲୀପ କୁମାରଙ୍କ ଦେହାନ୍ତ ହୋଇଥିଲା। ବଲିଉଡର ଅନେକ ସେଲିବ୍ରିଟୀ ଦିଲ୍ଲୀପ କୁମାରଙ୍କ ସହ ନିଜ ନିଜର ସ୍ମୃତି ବଖାଣୁଛନ୍ତି। ଏହି କ୍ରମରେ ବଲିଉଡ୍ ନିର୍ଦ୍ଦେଶକ ରୁମୀ ଜାଫରୀ ଦିଲ୍ଲୀପ କୁମାରଙ୍କ ବିଷୟରେ ଏକ ରୋଚକ କଥା କହିଛନ୍ତି।

ଟାଇମ୍ସ ଅଫ୍‌ ଇଣ୍ଡିଆ ସହ ସାକ୍ଷାତକାରରେ ରୁମୀ କହିଛନ୍ତି, ମୋର ମନେ ଅଛି ଦିଲ୍ଲୀପ କୁମାର ମୋ ପାଖକୁ ଆସିଥିଲେ ଏବଂ ମୋ ପାଖରେ ଥିବା ଏକ ସୋଫାରେ ବସିଲେ। ତା’ ପରେ ସେ ଯାହା ମୋତେ କହିଲେ, ମୁଁ ଶୁଣି ଆଶ୍ଚର୍ଯ୍ୟ ହୋଇଗଲି। ଦିଲ୍ଲୀପ କୁମାର ମୋତେ ପଚାରିଲେ ଯେ ମିଡିଆ ରିପୋର୍ଟରେ ଜାଣିବାକୁ ପାଇଲି ଯେ ଫିଲ୍ମ ଷ୍ଟାର୍ ମାନେ ବିବାହ ସମାରୋହକୁ ଯିବା ପାଇଁ ପଇସା ନିଅନ୍ତି। ଏହା କ’ଣ ସତ ନା କେବଳ ମୋ ଛବିକୁ ବିଗାଡ଼ିବା ପାଇଁ ଏହା ଏକ ଷଡ଼ଯନ୍ତ୍ର। ଏହା ପରେ ମୁଁ ତାଙ୍କୁ ଜବାବ ଦେଲି, ହଁ ଏହା ସତ ଯେ ଅଭିନେତା ବିବାହକୁ ଯିବା ପାଇଁ ଟଙ୍କା ଦାବି କରନ୍ତି। ଏହା ଶୁଣି ଦିଲ୍ଲୀପ କୁମାର ସ୍ତବ୍ଧ ହୋଇଗଲେ।

ଏହା ପରେ ଦିଲ୍ଲୀପ କୁମାର ମୋତେ କହିଲେ, ମୁଁ ମାଗଣାରେ ବିବାହ କାର୍ଯ୍ୟକ୍ରମକୁ ଯାଏ ଏବଂ ସେଠାରେ କେବଳ ନବ ଦମ୍ପତିକୁ ଆଶୀର୍ବାଦ ଦେବାକୁ ଯାଏ। ଏପରିକି ମୁଁ ବିନା ପାଉଣାରେ ଶୋ’ ରୁମ୍ ଉଦଘାଟନ କରିବାକୁ ମଧ୍ୟ ଯାଏ। ମୁଁ ଭଗବାନଙ୍କୁ ପ୍ରାର୍ଥନା କରେ ଯେ ବ୍ୟକ୍ତି ଜଣଙ୍କର ବ୍ୟବସାୟ ଭଲ ଚାଲୁ, କାରଣ ମୁଁ ଚାହେଁ ନାହିଁ ଯେ କେହି ମୋତେ ଦୋଷ ଦେଉ ଯେ ୟାଙ୍କ ହାତ ଆମ ବ୍ୟବସାୟ ପାଇଁ ଆଦୌ ଭଲ ନୁହେଁ।

ରୁମୀ ଜାଫରୀ ଦିବଙ୍ଗତ ଦିଲ୍ଲୀପ କୁମାର ଓ ସୁନୀଲ୍ ଦତ୍ତଙ୍କର ବନ୍ଧୁତାକୁ ନେଇ ଏକ ରୋଚକ କଥା କହିଛନ୍ତି। ରୁମୀ କହିଛନ୍ତି, ସେଦିନ ସୁନୀଲ ଦତ୍ତଙ୍କର ଦେହାନ୍ତ ହୋଇଥିଲା। ତାଙ୍କର ଘରର ଲିଫ୍ଟ ଖରାପ ହୋଇଯାଇଥିବା ଦିଲ୍ଲୀପ କୁମାରଙ୍କ ସାନ ଭାଇ ଏହସାନ୍ ମୋତେ କହିଥିଲେ। ସୁନୀଲ ଦତ୍ତଙ୍କୁ ଭେଟିବା ପାଇଁ ସାୟରା ବାନୁ ୧୧ ମହଲା ବିଶିଷ୍ଟ ସିଡି ଚଢ଼ିଲେ ଏବଂ ତାଙ୍କ ପଛରେ ମୁଁ ଓ ମୋ ଆସିଷ୍ଟାଣ୍ଟ ଟିନୁ ଦେଶାଇ ଯାଉଥିଲି।

୧୧ ମହଲା ଚଢ଼ିବା ପରେ ସାୟରା ବାନୁ ମୋତେ କହିଲେ ଯେ ଯେହେତୁ ଦିଲ୍ଲୀପ କୁମାର ଜଣେ ହୃଦ ରୋଗୀ, ତେଣୁ ସେ ସିଢି ଚଢ଼ିପାରିବେ ନାହିଁ। କିନ୍ତୁ ୨୦ ମିନିଟ୍ ପରେ ଦେଖିବାକୁ ପାଇଲୁ ଯେ ଦିଲ୍ଲୀପ କୁମାର ୧୧ ମହଲା ସିଢିରେ ଚଢ଼ି ସୁନୀଲ ଦତ୍ତଙ୍କୁ ଭେଟିବାକୁ ଆସିଥିଲେ। ଏହା ଦର୍ଶାଉଛି ଯେ ଦିଲ୍ଲୀପ କୁମାର ଓ ସୁନୀଲ ଦତ୍ତଙ୍କର ବନ୍ଧୁତା କେତେ ଗଭୀର ଥିଲା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।