ପୋଷ୍ଟରରୁ ହଟାଇଥିଲେ, ଟ୍ରେଲରରେ ଦେଖାଇଲେ

ମୁମ୍ବାଇ: ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ବିବାଦରେ ଫସି ଜେଲ୍‌ ଯାଇଥିବା ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କ ତୁଟୁନି ଅଡୁଆ। ସେ ଜେଲ୍‌ରୁ ମୁକୁଳିବା ପରେ ମଧ୍ୟ ତାଙ୍କ ମୁଣ୍ଡରୁ ଏକପ୍ରକାର ଦୋଷୀ ଟ୍ୟାଗ ହଟୁନଥିବା ଭଳି ମନେ ହେଉଛି। ବି-ଟାଉନରେ ତାଙ୍କୁ ଅଣଦେଖା କରାଯାଉଥିବା ଆଶଙ୍କା କରାଯାଉଛି। ଗତ କିଛି ଦିନ ତଳେ ତାଙ୍କ ଅପକମିଂ ଫିଲ୍ମ `ଚେହେରା’ର ପୋଷ୍ଟରରୁ ତାଙ୍କ ହଟାଇ ଦିଆଯାଇଥିଲା। ଏହାକୁ ଦେଖି ତାଙ୍କୁ ଏହି ଫିଲ୍ମରୁ ଆଉଟ୍‌ କରାଯାଉଥିବା ନେଇ ଚର୍ଚ୍ଚା ହେଇଥିଲା।   ଏବେ କିନ୍ତୁ ଫିଲ୍ମର ଟ୍ରେଲର ରିଲିଜ ହେବା ପରେ ଏହି ସସ୍‌ପେନ୍ସ ଉପରେ ପରଦା ହଟିଛି। ପୋଷ୍ଟରରୁ ଗାୟବ ହୋଇଥିଲେ ମଧ୍ୟ ଟ୍ରେଲରେ ଅଭିନେତ୍ରୀ ରିଆ ସ୍ଥାନ ପାଇଛନ୍ତି।

ରିଲିଜ ହୋଇଛି ବହୁ ପ୍ରତିକ୍ଷିତ ଫିଲ୍ମ `ଚେହେରା’ର ଟ୍ରେଲର। ଏହାର ଲିଡ୍‌ ରୋଲରେ ଅମିତାଭ ବଚ୍ଚନ, ଇମ୍ରାନ ହାସମୀ ଲିଡ୍‌ ରୋଲରେ ଅଛନ୍ତି। ଅନ୍ୟ ପ୍ରମୁଖ ଭୂମିକାରେ ରିଆ ଚକ୍ରବର୍ତ୍ତୀ ଏବଂ କ୍ରିଷ୍ଟିଲ ଡିସୁଜା ଅଛନ୍ତି। ପ୍ରଥମେ ଫିଲ୍ମର ପୋଷ୍ଟର ପରେ ଟିଜର ରିଲିଜ ହୋଇଥିଲା। କିନ୍ତୁ ଏହି ଦୁଇଟି ଯାକରେ ରିଆଙ୍କୁ ଦେଖିବାକୁ ମିଳିନଥିଲା। ଫିଲ୍ମ ନିର୍ମାତାମାନେ ତାଙ୍କୁ ଏଥିରୁ ହଟାଇ ଦେଇଥିବା ନେଇ ଚର୍ଚ୍ଚା ହୋଇଥିଲା। କିନ୍ତୁ ଏବେ ଟ୍ରେଲରରେ ତାଙ୍କର କିଛି ଝଲକ୍‌ ଦେଖିବା ପରେ ଏହି ଚର୍ଚ୍ଚା ଉପରେ ପୂର୍ଣ୍ଣଛେଦ ପଡିଛି।

ରୁମି ଜାଫରୀଙ୍କ ନିର୍ଦ୍ଦେଶନାରେ ତିଆରି ଏହି ଫିଲ୍ମ ପୁରା ସସ୍‌ପେନ୍ସ ଏବଂ ଥ୍ରୀଲରରେ ଭରପୁର। ଏହି ଫିଲ୍ମ ଜରିଆରେ ଟେଲି ଅଭିନେତ୍ରୀ କ୍ରିଷ୍ଟିଲ ଡି’ସୁଜା ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। ସେହିପରି ଅମିତାଭ ଏବଂ ଇମ୍ରାନଙ୍କୁ ପ୍ରଥମ କରି ଏହି ଫିଲ୍ମରେ ଏକାଠି ଦେଖିବାକୁ ମିଳିବ। ଆସନ୍ତା ଏପ୍ରିଲ ୩୦ ତାରିଖରେ ଫିଲ୍ମଟି ପରଦାକୁ ଆସିବ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।