‘ଫଟା ଜିନ୍ସ’କୁ ନେଇ ଜ୍ଞାନ ବାଣ୍ଟିଲେ କଙ୍ଗନା

ମୁମ୍ବାଇ: ଉତ୍ତରାଖଣ୍ଡର ନବ ନିଯୁକ୍ତ ମୁଖ୍ୟମନ୍ତ୍ରୀ ତୀରଥ ସିଂ ରାଓ୍ୱତ ମହିଳାଙ୍କ ‘ଫଟା ଜିନ୍ସ’ ପିନ୍ଧିବାକୁ ନେଇ ଦେଇଥିବା ବିବାଦୀୟ ବୟାନ ଉପରେ ସୋଶାଲ୍ ମିଡିଆରେ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଉଛି । ଚାରିଆଡୁ ତାଙ୍କୁ ସାମଲୋଚନାର ଶିକାର ହେବାକୁ ପଡ଼ିଛି। ଏହାରି ଭିତରେ ବଲିଉଡର ପଙ୍ଗା କୁଇନ୍‌ କଙ୍ଗନା ରଣାୱତ ‘ଫଟା ଜିନ୍ସ’କୁ ନେଇ ଜ୍ଞାନ ବାଣ୍ଟିଛନ୍ତି।

ସେ ମହିଳାମାନଙ୍କୁ ଜିନ୍ସ ପିନ୍ଧିବା ଷ୍ଟାଇଲ ଶିଖାଇଛନ୍ତି। କଙ୍ଗନା ତାଙ୍କ ଟ୍ୱିଟର ଆକାଉଣ୍ଟରେ ଏକ ଫଟୋ ଶେଆର କରି କହିଛନ୍ତି, ”ମହିଳାମାନେ କେମିତି ଜିନ୍ସ ପିନ୍ଧିବା ଉଚିତ, ତାହା ମୋ ଠାରୁ ଶିଖିବା ଦରକାର। ଯଦି କେହି ଫଟା ଜିନ୍ସ ପିନ୍ଧିବାକୁ ଇଚ୍ଛା ରଖୁଛନ୍ତି, ତେବେ ସେ ଗୁଡ଼ିକ ଆକର୍ଷଣୀୟ ଦେଖାଯିବା ଉଚିତ, ଭିକାରୀ ଭଳି ପିନ୍ଧିବା ଉଚିତ ନୁହେଁ। ଅଜିକାଲି ଅଧିକାଂଶ ଯୁବକଯୁବତୀ ପାଖରେ ଟଙ୍କା ନଥିଲା ଭଳି ଭିକାରୀ ଦେଖାଗଲା ଭଳି ହିଁ ଜିନ୍ସ ପିନ୍ଧୁଛନ୍ତି।”

କଙ୍ଗନାଙ୍କ ଏହି ଟ୍ୱିଟ୍ ଏବେ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ତାଙ୍କ ଟ୍ୱିଟ୍‌କୁ କେତେକ ୟୁଜର୍ସ ପ୍ରଶଂସା କରିଥିବା ବେଳେ ଆଉ କେତେକ ସମାଲୋଚନା କରିଛନ୍ତି।

ଅଭିନେତ୍ରୀ ଗୁଲ ପନାଗ ମଧ୍ୟ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ବୟାନକୁ ସମାଲୋଚନା କରିଛନ୍ତି। ସେ ତାଙ୍କ ଟ୍ୱିଟ୍‌ରରେ ଏକ ଫଟା ଜିନ୍ସ ପିନ୍ଧି ଫଟୋ ମଧ୍ୟ ଶେଆର କରିଛନ୍ତି।

ସୂଚନାଯୋଗ୍ୟ ଯେ, ଗତକାଲି ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ତୀରଥ ସିଂ ରାଓ୍ୱତ ମହିଳାଙ୍କ ଫଟା ଜିନ୍ସ ପିନ୍ଧିବାକୁ ନେଇ ବିବାଦୀୟ ବୟାନ ଦେଇଥିଲେ। ଏକ କାର୍ଯ୍ୟକ୍ରମରେ ଯୋଗଦେଇ  ସେ କହିଥିଲେ, ଯେଉଁ ମହିଳାମାନେ ଏନଜିଓ ଚଳାଉଛନ୍ତି ନିଜେ ଫଟା ଜିନ୍ସ ପିନ୍ଧୁଛନ୍ତି। ଚିନ୍ତା କରନ୍ତୁ, ସେ ସମାଜରେ କେଉଁ ପ୍ରକାରର ସଂସ୍କୃତିର ପ୍ରଚାର କରୁଥିବେ। ଯେବେ ଆମେ ସ୍କୁଲରେ ପଢୁଥିଲେ, ଏମିତି ଘଟୁ ନଥିଲା ଯାହା ଏବେ ଘଟୁଛି।  ପାଶ୍ଚାତ୍ୟ ଦେଶଗୁଡ଼ିକ ଆମକୁ ଅନୁସରଣ କରୁଥିବା ବେଳେ ଆମେ ଫଟା ଜିନ୍ସ ପିନ୍ଧି ଆଣ୍ଠୁ ଦେଖାଇ ନିଜକୁ ଧନୀ ବୋଲି ଦେଖାଇ ହେଉଛେ।

ବିଗ୍ ବି’ ଅମିତାଭ ବଚ୍ଚନଙ୍କ ନାତୁଣୀ ନଭ୍ୟା ନଭେଲି ନନ୍ଦା ମଧ୍ୟ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି, ଆମ ପୋଷାକ ବଦଳାଇବା ପୂର୍ବରୁ ପ୍ରଥମେ ନିଜର ମାନସିକତାରେ ପରବର୍ତ୍ତନ କରନ୍ତୁ।

 

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।