ସାଜିଦ ଖାନଙ୍କୁ ‘ବିଗବସ୍‌’ରୁ ବାହାର କରିବାକୁ ମନ୍ତ୍ରୀଙ୍କୁ ଚିଠି

ନୂଆଦିଲ୍ଲୀ: ବିଗ୍‌ବସ୍‌ ୧୬ରେ ପ୍ରତିଯୋଗୀ ସାଜିଥିବା ଫିଲ୍ମ ନିର୍ମାତା ସାଜିଦ ଖାନଙ୍କୁ ନେଇ ବିବାଦ ଦେଖାଯାଇଛି। ତାଙ୍କୁ ବିଗବସ୍‌ ଘରୁ ବାହାର କରିବା ପାଇଁ ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷ ସ୍ୱାତୀ ମାଲିୱାଲ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି। ମିଠୁ ଅଭିଯାନ ବେଳେ ଏକାଧିକ ମହିଳା ସାଜିଦ ଖାନଙ୍କ ବିରୋଧରେ କାଷ୍ଟିଂ କାଉଚ ଭଳି ଅଭିଯୋଗ ଆଣିଥିଲେ। ତାଙ୍କ ନାଁରେ ଯୌନ ନିର୍ଯାତନା ଭଳି ସାଂଘାତିକ ଦାଗ ଲାଗିଛି। ତେଣୁ ସେ ବିଗବସ୍‌ ଶୋ’ରେ ଭାଗ ନେଇପାରିବେ ନାହିଁ ବୋଲି ମାଲିୱାଲ କହିଛନ୍ତି।

୧୬ତମ ବିଗ୍‌ବସ୍‌ର ପ୍ରଥମ ଅଧ୍ୟାୟ ଅକ୍ଟୋବର ୧ରେ ପ୍ରସାରଣ ହୋଇଥିଲା। ଏହାର ହୋଷ୍ଟିଂ ବଲିଉଡର ଭାଇଜାନ ସଲମାନ ଖାନ କରୁଛନ୍ତି। ଆଜି ସ୍ୱାତୀ ମାଲିୱାଲ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ଲେଖିଥିବା ଚିଠିକୁ ଟ୍ୱିଟ କରିଛନ୍ତି। ଏଥିସହ ସେ ଲେଖିଛନ୍ତି ଯେ “ସାଜିଦ ଖାନଙ୍କ ବିରୋଧରେ ୧୦ ଜଣ ମହିଳା ମିଠୁ ଅଭିଯାନ ବେଳେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ।

ଏହି ସବୁ ଅଭିଯୋଗ ସାଜିଦ ଖାନଙ୍କ ଅସଲ ମାନସିକତାକୁ ପ୍ରଦର୍ଶିତ କରୁଛି। ସେଭଳି ଜଣେ ଲୋକଙ୍କୁ ଏବେ ବିଗବସ୍‌ରେ ସ୍ଥାନ ଦିଆଯାଇଛି। ଏହା ସଂପୂର୍ଣ୍ଣ ଭାବେ ଭୁଲ। ମୁଁ ମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ଚିଠି ଲେଖି ସାଜିଦ ଖାନଙ୍କୁ ଶୋ’ରୁ ବିଦା କରିବାକୁ କହିଛି।”


ସୂଚନାଯୋଗ୍ୟ, ସାଜିଦ ଖାନଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ ଆସିବାରୁ ୨୦୧୮ରେ ଆଇଏଫଟିଡିଏ ପକ୍ଷରୁ ତାଙ୍କୁ ବର୍ଷକ ପାଇଁ ନିଲମ୍ବିତ କରାଯାଇଥିଲା। ସେହିବର୍ଷ ହାଉସ ଫୁଲ ୪ର ନିର୍ଦ୍ଦେଶନା ଦାୟିତ୍ୱରୁ ମଧ୍ୟ ସେ ଓହରି ଯାଇଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।