ହଲିଉଡ୍ ଅଭିନେତା କେବିନ୍ ହାର୍ଟ ଦୁର୍ଘଟଣାରେ ଆହତ

ଲସ୍ ଏଞ୍ଜେଲସ୍: ଗତକାଲି ଆମେରିକୀୟ ହାସ୍ୟାଭିନେତା କେବିନ୍ ହର୍ଟଙ୍କ ଗାଡ଼ି ଲସ୍ ଏଞ୍ଜେଲସ୍ ପାଖରେ ଦୁର୍ଘଟଣାଗ୍ରସ୍ତ ହୋଇଛି। କାଲିଫର୍ଣ୍ଣିଆ ହାଇୱେର ରିପୋର୍ଟ ଅନୁସାରେ କେବିନ୍ ତାଙ୍କର ୧୯୭୦ ପ୍ଳାଇମାଉଥ୍ ବାରାକୁଡ଼ା ଭିଣ୍ଟେଜ୍ କାର୍ରେ ୪ ଜଣ ବନ୍ଧୁଙ୍କ ସହିତ ଯିବା ସମୟରେ ମୁହ୍ଲୋଲାଣ୍ଡ ହାଇୱେରେ ଏହି ଦୁର୍ଘଟଣା ଘଟିଥିଲା।
ସୂଚନା ଅନୁସାରେ ଡ୍ରାଇଭର୍ ଜୈରେଡ୍ ବ୍ଲାକ୍ ନିୟନ୍ତ୍ରଣ ହରାଇବା ଯୋଗୁ ଗାଡ଼ିଟି ଖାଲରେ ପଡ଼ି ଯାଇଥିଲା। ଏଥି ଯୋଗୁ ଡ୍ରାଇଭର୍ ଆଘାତ ପାଇବା ସହିତ ଗାଡ଼ିରେ ଥିବା ଅନ୍ୟମାନେ ଆଘାତ ପାଇଥିଲେ। ଏଥିରେ ହାସ୍ୟାଭିନେତା କେବିନ୍ଙ୍କୁ ମଧ୍ୟ ଗଭୀର ଆଘାତ ଲାଗିଛି। ତାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
କେବିନ୍ ଜଣେ ଲୋକପ୍ରିୟ କମେଡିଆନ୍ ଆକ୍ଟର। ସେ ‘ସିକ୍ରେଟ୍ ଅପ୍ ପେଟ୍ ଲାଇପ୍ସ’ ଓ ‘ଜୁମାଞ୍ଜି’ ପରି ଫିଲ୍ମରେ କାମ କରିଛନ୍ତି। ୨୦୧୯ରେ କେବିନ୍ ଓସ୍କାର ଆୱାର୍ଡ ଶୋକୁ ହୋଷ୍ଟ୍ କରିବା ପାଇଁ ମନୋନୀତ ହୋଇଥିଲେ। କିନ୍ତୁ ତାଙ୍କର ବିବାଦୀୟ ଟ୍ୱିଟ୍ କାରଣରୁ ସେ ଏଥିରୁ ବାଦ୍ ପଡ଼ିଥିଲେ।
ଏହା ସହିତ କେବିନ୍ ‘ରାଇଡ୍ ଏଲଙ୍ଗ୍’, ‘ଗେଟ୍ ହାର୍ଡ ଆଣ୍ଡ ସେଣ୍ଟ୍ରାଲ୍ ଇଣ୍ଟେଲିଜେନ୍ସ’ ପରି ଚର୍ଚ୍ଚିତ ଫିଲ୍ମରେ ମଧ୍ୟ କାମ କରିଛନ୍ତି। କେବିନ୍ଙ୍କର ଦୁର୍ଘଟଣା ଖବର ଶୁଣି ତାଙ୍କର ଫ୍ୟାନ୍ମାନେ ଚିନ୍ତାବ୍ୟକ୍ତ କରିଛନ୍ତି।