ଗୋବିନ୍ଦାଙ୍କ ସହ ନାଚିବେ ଡ୍ୟାନ୍ସିଂ ଅଙ୍କଲ

ମୁମ୍ବାଇ: ମାଧୁରୀଙ୍କ ଶୋ’ରେ ଗୋବିନ୍ଦାଙ୍କ ସହ ଡ୍ୟାନ୍ସ କରିବେ ଡବୁ ଅଙ୍କଲ୍‌ । ଡବୁ ଅଙ୍କଲ୍‌ କିଏ ଓ ସେ କାହିଁକି ଗୋବିନ୍ଦାଙ୍କ ସହ ଡ୍ୟାନ୍ସ କରିବେ ବୋଲି ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ । ଜାଣିଛନ୍ତି, ସେ ଅନ୍ୟ କେହି ନୁହଁନ୍ତି କିଛି ଦିନ ପୂର୍ବରୁ ନିଜ ବିବାହ ବାର୍ଷିକୀରେ ନାଚି ପପୁଲାର ହୋଇଥିବା ଡବୁ ଅଙ୍କଲ୍‌ ଓରଫ୍ ଡ୍ୟାନ୍ସିଂ ଅଙ୍କଲ୍‌ । ଯିଏ ଦିନେ ସୋସିଆଲ ମିଡିଆରେ ରାତାରାତି ବନି ଯାଇଥିଲେ ଷ୍ଟାର ।
ଡ୍ୟାନ୍ସିଙ୍ଗ୍ ଅଙ୍କଲ୍‌ ବହୁତ ଶୀଘ୍ର ଆଉ ଏକ ଧମାକା କରିବାକୁ ଯାଉଛନ୍ତି । ମାଧୁରୀ ଦୀକ୍ଷିତଙ୍କ ଶୋ’ ‘ଡ୍ୟାନ୍ସ ଦିବାନେ’ରେ ତାଙ୍କ ନାଚ ଆପଣ ଦେଖିବାକୁ ପାଇବେ । ଏହି ଶୋ’ରେ ସ୍ୱତନ୍ତ୍ର ଅତିଥି ରୂପେ ଗୋବିନ୍ଦା ଯୋଗ ଦେବାର ଅଛି । ଗୋବିନ୍ଦାଙ୍କ ଗୀତରେ ନାଚୁଥିବା ଡବୁ ଅଙ୍କଲ୍‌ ଏହି ଶୋ’ରେ ସତସତିକା ଗୋବିନ୍ଦାଙ୍କ ସହ ନାଚିବାର ଦର୍ଶକ ଦେଖିବେ ।
ମାଧୁରୀଙ୍କ ଶୋକୁ ଯିବା ପୂର୍ବରୁ ଡବୁ କହିଛନ୍ତି,” ମୋର ସେହି ଶୋକୁ ଯିବା ସୌଭାଗ୍ୟର କଥା। ସେଠାକୁ ଗୋବିନ୍ଦା ଆସିବେ କି ନାହିଁ, ମୁଁ ଜାଣିନାହିଁ, ହେଲେ ଯାହାଙ୍କ ଯୋଗୁଁ ମୁଁ ଏପର୍ଯ୍ୟନ୍ତ ଆସି ପାରିଛି, ତାଙ୍କୁ ଦେଖାକରି ମତେ ପୁରସ୍କାର ମିଳିବ । ମୁଁ ମୋ ଖୁସିକୁ ଶଦ୍ଦରେ ବର୍ଣ୍ଣନା କରିପାରୁ ନାହିଁ । “
ପୂର୍ବରୁ ଡବୁଙ୍କ ଡ୍ୟାନ୍ସକୁ ପ୍ରଶଂସା କରି ଗୋବିନ୍ଦା କହିଥିଲେ, ଯେଉଁ ଗୀତରେ ଡ୍ୟାନ୍ସ କରିବା ପାଇଁ ମତେ ୯ଘଣ୍ଟା ଲାଗିଥିଲା , ଡବୁ ତାକୁ ୫ମିନିଟ୍‌ରେ କରି ଦେଖାଇଛନ୍ତି ।
ମଧ୍ୟପ୍ରଦେଶର ବିଦିଶାରେ ରହୁଥିବା ଏହି ବ୍ୟକ୍ତିଙ୍କର ଡ୍ୟାନ୍ସ ଭିଡିଓ ଭାଇରାଲ୍‌ ହେବା ପରେ ସେ ସଲମାନ୍‌ଙ୍କ ଶୋ’ ‘ଦଶ କା ଦମ’ରେ ନିଜ ଡ୍ୟାନ୍ସର ଜଲବା ଦେଖାଇଥିଲେ । ତାଙ୍କର ସେହି ଡ୍ୟାନ୍ସକୁ ଦେଖି ସଲମାନ୍‌ ତାଳି ନ ମାରି ରହିପାରି ନ ଥିଲେ ।