‘ସେ ମୋତେ କିସ୍‌ କରିବାକୁ ଚେଷ୍ଟା କରିଥିଲେ’ ଅଭିନେତାଙ୍କ ବିରୋଧରେ ଆଉ ଏକ ଅଭିଯୋଗ

କେରଳ: ପୁଣି ବଢ଼ିଲା ସାଉଥ ଅଭିନେତା ବିଜୟ ବାବୁଙ୍କ ଅଡୁଆ। ତାଙ୍କ ନାଁରେ ଆସିଲା ଆଉ ଏକ ଅଭିଯୋଗ। କାମ ଦେବା ବାହାନରେ କିସ୍‌ କରିବାକୁ ଚେଷ୍ଠା କରୁଥିବା ନେଇ ଜଣେ ମହିଳା ଆଣିଲେ ଅଭିଯୋଗ।

#MeToo କେରଳା ଇନ୍‌ଷ୍ଟାଗ୍ରାମ ପୋଷ୍ଟ ଜରିଆରେ ଏଭଳି ଅଭିଯୋଗ ଆଣିଛନ୍ତି ଜଣେ ମହିଳା। ସେ ଏହି ଇନ୍‌ଷ୍ଟାଗ୍ରାମ ପୋଷ୍ଟ ଜରିଆରେ ଖୁଲାସା କରିଛନ୍ତି ଯେ, ସାଉଥ ଅଭିନେତା ବିଜୟ ବାବୁ ମଦ ପିଉଥିଲେ। ମଦ ପିଇବା ପାଇଁ ତାଙ୍କୁ ମଧ୍ୟ ଅଫର କରିଥିଲେ। କିନ୍ତୁ ସେ ମନା କରିଥିଲେ ଏବଂ କାମ ଜରି ରଖିଥିଲେ। ତେବେ ହଠାତ୍‌ ବିନା କୌଣସି ପ୍ରଶ୍ନରେ ଏବଂ ବିନା କୌଣସି ସହମତିରେ ସେ ତାଙ୍କୁ କିସ୍‌ କରିବା ପାଇଁ ଚେଷ୍ଟା କରିଥିଲେ।

ଏହା ଜାଣିପାରିବା ପରେ ମହିଳା ଜଣକ ପଛକୁ ହଟିଯାଇଥିଲେ। ଏହା ପରେ ଅଭିନେତା ଜଣକ କହିଥିଲେ କେବଳ ଗୋଟିଏ କିସ୍‌? ମହିଳାଙ୍କ କହିବା ମୁତାବକ ଏହି ଘଟଣା ତାଙ୍କୁ ପୁରା ଭିତରୁ ଭାଙ୍ଗି ଦେଇଥିଲା। ସେ ଫିଲ୍ମ ଇଣ୍ଡଷ୍ଟ୍ରି ଠାରୁ ମଧ୍ୟ ଦୂରେଇ ଯାଇଥିଲେ।

ସୂଚନା ମୁତାବକ, ଏହା ପୂର୍ବରୁ ମଧ୍ୟ ଯୌନ ଉତ୍ପୀଡନ ମାମଲାରେ ପୁଲିସ ଅଭିନେତା ବିଜୟ ବାବୁଙ୍କ ବିରୋଧରେ ଲୁକ୍‌ ଆଉଟ୍‌ ନୋଟିସ ଜାରି କରିସାରିଛି। ଏହାପରେ ଅଭିନେତା ଆଗୁଆ ଜାମିନ ପାଇଁ କେରଳ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଛନ୍ତି। ଅଭିନେତା ଜଣଙ୍କ ବର୍ତ୍ତମାନ ଫେରାର ଅଛନ୍ତି। ତାଙ୍କ ବିରୋଧରେ ଦୁଷ୍କର୍ମ ଓ ମାରପିଟ୍‌ ଅଭିଯୋଗ ଆସିବା ପରେ ସେ କଥିତ ରୂପେ ଦେଶ ଛାଡି ଚାଲିଯାଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ସିନେମାରେ କାମ ଦେବାକୁ କହି ବିଜୟ ବାବୁ ଅସଦାଚରଣ କରିଥିବା ଅଭିଯୋଗ ଆଣିଥିଲେ ଜଣେ ଅଭିନେତ୍ରୀ। କଥିତ ରୂପେ ପୀଡ଼ିତା ମହିଳା ଜଣକ ଏପ୍ରିଲ ୨୨ ତାରିଖରେ ବିଜୟଙ୍କ ନାଁରେ ଥାନାରେ ଏତଲା ଦେଇଥିଲେ। ବିଜୟ ତାଙ୍କୁ ଶାରିରୀକ ନିର୍ଯାତନା ଦେବା ସହିତ ମାର୍ଚ୍ଚ ୧୩ ତାରିଖରୁ ୧୪ ଏପ୍ରିଲ ୨୦୨୨ ପର୍ଯ୍ୟନ୍ତ ତାଙ୍କର ଯୌନ ଶୋଷଣ କରିଥିଲେ ବୋଲି ମହିଳା ଅଭିଯୋଗରେ ଦର୍ଶାଇଛନ୍ତି। ଏନେଇ ପୀଡ଼ିତା ‘ଓମେନ୍ ଏଗେଁଷ୍ଟ ହାରାସମେଣ୍ଟ’ ନାଁରେ ଥିବା ଏକ ଫେସ୍‌ବୁକ୍‌ ଗ୍ରୁପ୍‌ରେ ପୋଷ୍ଟ କରିବା ସହିତ ଘଟଣା ସମ୍ପର୍କରେ ସବିଶେଷ ସୂଚନା ଦେଇଥିଲେ।

ଫିଲ୍ମ ଇଣ୍ଡଷ୍ଟ୍ରିରେ ଭଲ ସୁଯୋଗ ଦେବାକୁ କହି ବିଜୟ ବାବୁ ଅନେକ ଥର ତାଙ୍କୁ ତାଙ୍କର ଆପାର୍ଟମେଣ୍ଟକୁ ଡାକି ନିର୍ଯାତନା ଦେଇଛନ୍ତି ବୋଲି ଅଭିଯୋଗରେ ଦର୍ଶାଇଛନ୍ତି ପୀଡ଼ିତା। ଏହାପରେ ବିଜୟଙ୍କ ବିରୋଧରେ ଦୁଷ୍କର୍ମ ଓ ଶାରିରୀକ ନିର୍ଯାତନା ଅଭିଯୋଗରେ ମାମଲା ରୁଜୁ ହୋଇଛି। ଏମିତିକି ବିଜୟ ତାଙ୍କର ନଗ୍ନ ଭିଡିଓ ରେକର୍ଡିଂ କରି ତାଙ୍କୁ ବାରମ୍ବାର ସେକ୍ସ ପାଇଁ ବାଧ୍ୟ କରୁଥିଲେ। ନହେଲେ ଭିଡିଓ ଭାଇରାଲ୍ କରିବାକୁ ଧମକାଉଥିଲେ ବୋଲି ଅଭିନେତ୍ରୀ ଅଭିଯୋଗ ଆଣିଛନ୍ତି। ଏପଟେ ବିଜୟ ବାବୁ ଅଭିଯୋଗକୁ ଖଣ୍ଡନ କରିବା ସହିତ ଅଭିଯୋଗକାରିଣୀ ମିଛ କହୁଛନ୍ତି। ଉକ୍ତ ମହିଳାଙ୍କ ବିରୋଧରେ ସେ ମଧ୍ୟ ଆଇନ୍‌ର ଲଢ଼େଇ ଲଢ଼ିବେ ବୋଲି ବିଜୟ ବାବୁ କହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।