ଏମିତି ଟ୍ୱିଟ କଲେ ଇରଫାନ୍‌ ଖାନ୍‌: ପ୍ରଶଂସକଙ୍କ ଆଖିରେ ଆସିଗଲା ପାଣି

ମୁମ୍ବାଇ: ବଲିଉଡ ଷ୍ଟାର ଇରଫାନ୍‌ ଖାନ୍‌ ଏକ ଭାବବିହ୍ୱଳ ଟ୍ୱିଟ୍‌ କରିଛନ୍ତି। ଏହି ଟ୍ୱିଟ୍‌ଟି ସେ ତାଙ୍କ ସ୍ୱାସ୍ଥ୍ୟକୁ ନେଇ କରିଛନ୍ତି। ଏଥିରେ ସେ ଉଲ୍ଲେଖ କରିଛନ୍ତି, “ଜୀବନର ଠିକ୍‌, ଭୁଲ୍‌ ଖେଳରେ ମୁଁ ଏକ ଅଂଶ ହୋଇ ରହିଯାଇଛି।” ଏହାସହ ସେ ନିଜ ଟ୍ୱିଟ୍‌ରେ ଏମିତି କିଛି ଉଲ୍ଲେଖ କରିଛନ୍ତି, ଯାହା ତାଙ୍କ ଫ୍ୟାନଙ୍କ ଆଖିରେ ଲୁହ ନେଇ ଆସିବ।

irrfan-khanଇରଫାନ୍‌ କହିଛନ୍ତି, “ଯେତେବେଳେ ମୋତେ ନ୍ୟୁରୋଇଣ୍ଡୋକ୍ରାଇନ୍‌ କ୍ୟାନ୍‌ସର(ସ୍ନାୟୁ ଜନିତ ରୋଗ) ବିଷୟରେ ଜାଣିଲି, ଏହା ମୋ ପାଇଁ ନୂଆ ଶଦ୍ଦ ଥିଲା। ଜୀବନର ଠିକ୍‌ ଓ ଭୁଲ୍‌ ଖେଳରେ ମୁଁ ଏକ ଅଂଶ ହୋଇ ରହିଯାଇଛି। ମୋ ସ୍ୱପ୍ନକୁ ନେଇ ମୁଁ ଏକ ଦ୍ରୁତଗାମୀ ଟ୍ରେନ୍‌ରେ ଯାତ୍ରା କରୁଥିଲି, ସେତେବେଳେ କେହି ଜଣେ ମତେ ପଛରୁ ଡାକିଲା ଏବଂ କହିଲା ତମ ଷ୍ଟେସନ ଚାଲିଆସିଲା ଓହ୍ଲାଇବାକୁ ପଡିବ। ଏହି ସୂଚନା ମତେ ଦୋହଲାଇ ଦେଇଥିଲା। ମୁଁ କେବଳ ନିଜ ଗୋଡରେ ଛିଡା ହେବାକୁ ଚାହୁଁଥିଲି।”

ସେ ତାଙ୍କ ଟ୍ୱିଟ୍‌ରେ ଆହୁରି ଉଲ୍ଲେଖ କରିଛନ୍ତି ଯେ, “କୌଣସି ବି ଯନ୍ତ୍ରଣା ମୋ ଉପରେ ନିଜ କାୟା ବିସ୍ତାର କରିପାରିବ ନାହିଁ। ଏହିପରି ସକାରାତ୍ମକ କଥାକୁ ବିଶ୍ୱାସ କରି ବାଟ ଚାଲୁଥିଲି। ମାତ୍ର ଏହି ଚିନ୍ତାଧାରା ମୋର ବୃଥା ଗଲା। ବର୍ତ୍ତମାନ ଲାଗୁଛି, ଏ ଯନ୍ତ୍ରଣା ମୋ ପାଇଁ ଭଗବାନଙ୍କଠୁ ବି ବଡ ହୋଇଯାଇଛି।”

irrfan-khanପୂର୍ବରୁ ଇରଫାନ୍‌ ମାର୍ଚ୍ଚ ୧୬ ତାରିଖରେ ନିଜର ଏହି ରୋଗ ବିଷୟରେ ଫ୍ୟାନ୍‌ମାନଙ୍କୁ ଟ୍ୱିଟ୍‌ କରି କହିଥିଲେ। ତାଙ୍କର ଏହି ଟ୍ୱିଟ୍‌ ପରେ ବଲିଉଡ୍‌ ଏବଂ ତାଙ୍କ ଫ୍ୟାନ୍‌ଙ୍କ ମଧ୍ୟରେ ଆଲୋଡନ ସୃଷ୍ଟି କରିଥିଲା। ଏହାପରେ ଇରଫାନ୍‌ ଚିକିତ୍ସା ପାଇଁ ଲଣ୍ଡନ ଚାଲିଯାଇଥିଲେ। କିଛିଦିନ ପରେ ଶୁଣିବାକୁ ମିଳିଥିଲା ସେ ଶୀଘ୍ର ବଲିଉଡକୁ ଫେରିବେ। ଏଥିପାଇଁ ତାଙ୍କ ଅଭିନୀତ ଫିଲ୍ମ ‘କାରବାଁ’ର ପୋଷ୍ଟର ମଧ୍ୟ ଲାଗି ସାରିଥିଲା। କିନ୍ତୁ ପାଖାପାଖି ୩ମାସ ପରେ ଇରଫାନ୍‌ ପୁଣି ଟ୍ୱିଟ୍‌ କରି ବର୍ତ୍ତମାନ ପର୍ଯ୍ୟନ୍ତ କ୍ୟାନସର୍‌ ପରି ରୋଗରେ ଲଢୁଥିବା କଥା କହିଛନ୍ତି।