ବାର ବର୍ଷ ବୟସରେ ପାଠପଢ଼ାରେ ଡୋରୀ ବାନ୍ଧିଥିଲେ ଯଲିଉଡ୍‌ର‌ ଚାନ୍ଦିନୀ ଗର୍ଲ ରୀନା

ପରିପାଟୀ, ଲୁକ୍‌ ଆଉ ଡାଏଲଗ୍‌ ଡେଲିଭରି ସବୁଥିରେ ବଲିଉଡ୍‌ କିମ୍ବଦନ୍ତୀ ଶ୍ରୀଦେବୀଙ୍କ ଛାପ। ସେ ଖିଲ୍ ଖିଲ୍ ହସିଲେ ସ୍ୱପ୍ନ ବିଭୋର ହୁଅନ୍ତି ଦର୍ଶକ। ଆଉ ଆଖିରେ ତାଙ୍କ ଲୁହ ଦେଖିଲେ ଆଖପାଖ ପରିବେଶରେ ଲହଡ଼ି ଭାଙ୍ଗେ ଅଶ୍ରୁର ସାଗର। କେହି ତାଙ୍କୁ କୁହନ୍ତି ଯଲିଉଡର ଚୁଲବୁଲି ଚାନ୍ଦିନୀ ଗର୍ଲ ତ ଆଉ କାହା ପାଇଁ ସେ ଦି ୱାନ୍ ଆଣ୍ଡ ଓନଲି ଟ୍ରାଜେଡି କୁଇନ୍। ସେ ହେଉଛନ୍ତି ଏଭର ଗ୍ରୀନ୍‌ ରୀନା ପଣ୍ଡା।

ବ୍ରାହ୍ମଣ ଘରର ପାଞ୍ଚ ଝିଅ ଭିତରେ ତାଙ୍କ ନମ୍ବର ହେଉଛି ତିନି। ପିଲାବେଳୁ ଧମନୀରେ ବୋହୁଥିଲା ଅଭିନୟର ରକ୍ତ। ବାପା ଥିଲେ ଯାତ୍ରା ଦୁନିଆର ପ୍ରତିଷ୍ଠିତ ଅଭିନେତା ତଥା ଶାରଳା ଯାତ୍ରା ପାର୍ଟିର ମାଲିକ ଶଙ୍କର୍ଷଣ ପଣ୍ଡା। କିନ୍ତୁ ମା’ଙ୍କ ଅକାଳ ମୃତ୍ୟୁ ପରେ ଏବର ଯଲିଉଡ୍ ସୁପରଷ୍ଟାର୍ ରୀନା ପଣ୍ଡାଙ୍କ ପାଇଁ ଶୈଶବର ଜୀବନ ହୋଇ ଉଠିଥିଲା ଏକଦମ୍ ଦୁର୍ବିସହ।

ଘରେ ପାଞ୍ଚ ପାଞ୍ଚଟା ମା’ ଛେଉଣ୍ଡ ଝିଅଙ୍କ ଯତ୍ନ ନିଜ କାନ୍ଧରେ ଉଠାଇବା ପାଇଁ ଯାତ୍ରା ଦୁନିଆକୁ ଗୁଡବାଏ କରି ଘରକୁ ଫେରିଲେ ବାପା ଶଙ୍କର୍ଷଣ। ଆଉ ତା’ପରେ ଦେଖାଦେଲା ଆର୍ଥିକ ଅନଟନ। ସେତେବେଳକୁ ରୀନା ଥିଲେ ପଞ୍ଚମ ଶ୍ରେଣୀର ଛାତ୍ରୀ। ପରିସ୍ଥିତିର ଚାପରେ ବାପା ଧୀରେ ଧୀରେ ଭାଙ୍ଗି ପଡ଼ୁଥିବା ବେଳେ କଅଁଳ ବୟସରେ ଗାଁ ଦାଣ୍ଡର ଧୂଳି ଖେଳୁଥିବା ରୀନାଙ୍କ ପାଇଁ ହଠାତ୍ ଆସିଲା ରୋଜଗାରର ଆହ୍ୱାନ।

ପାଠପଢ଼ାରେ ଡୋରି ବାନ୍ଧି ଘରର ଏରୁଣ୍ଡି ବନ୍ଧ ଡେଇଁବାବେଳକୁ ଏହି ନାଟ୍ୟ ପ୍ରତିଭାଙ୍କୁ ହୋଇଥିଲା ମାତ୍ର ୧୨ ବର୍ଷ। ବାପାଙ୍କ ବନ୍ଧୁ ନୟନ ଆଚାର୍ଯ୍ୟଙ୍କ ତ୍ରିନାଥ ଗଣନାଟ୍ୟରେ ମିଳିଥିଲା ରୀନାଙ୍କୁ ଯଲିଉଡର ପ୍ରଥମ ବ୍ରେକ୍। ଡ୍ୟାନସର୍ ଭାବେ ଆରମ୍ଭ ହୋଇଥିଲା ତାଙ୍କ କ୍ୟାରିଅର୍। ଯାବତୀୟ ନାହିଁ ନାହିଁରେ ପିଲାଦିନ କାଟିଥିବା ରୀନା ଏହିଠାରୁ କିନ୍ତୁ ନିଜ ଜିଦ୍, ନିଷ୍ଠା ଓ ଅଧ୍ୟବସାୟ ବଳରେ ଆରମ୍ଭ କରିଥିଲେ ନିଜ ସ୍ୱତନ୍ତ୍ର ପରିଚୟର ରାସ୍ତା ନିର୍ମାଣ।

Rena Panda
ଯାତ୍ରା ଅଭିନେତ୍ରୀ ରୀନା ପଣ୍ଡା

ରୀନାଙ୍କୁ ଚ୍ୟାଲେଞ୍ଜଭରା ଚରିତ୍ର ପ୍ରଥମେ ମିଳିଥିଲା ତ୍ରିନାଥ ଗଣନାଟ୍ୟର ଚର୍ଚ୍ଚିତ ନାଟକ ‘ଭଲ ମଣିଷ ଖୋଜା ଚାଲିଛି’ରେ। ସେହି ନାଟକରେ ଅନାଥ ଓ ମୁକ ଚରିତ୍ରରେ ରୀନାଙ୍କ ଅଭିନୟ ତାଙ୍କ ଯଲିଉଡ୍ କ୍ୟାରିଅରକୁ ଦେଇଥିଲା ନୂଆ ଦିଶା। ଏହାକୁ ଅଧିକ ଗତିଶୀଳ କରିଥିଲା ‘ତିନି ସ୍ୱାମୀ ନେଇ କରିଛି ଘର’, ‘କୁଳାଙ୍ଗାର’ ଓ ’ଚିରା କାଗଜ’ ପରି ହିଟ୍ ନାଟକ। ଶୈଶବରେ ସ୍ନେହ, ଖୁସି ଓ ସ୍ୱାଚ୍ଛନ୍ଦ୍ୟକୁ ଖୋଜି ଖୋଜି ନିରାଶ ହୋଇଥିବା ରୀନାଙ୍କ ପାଇଁ ସତେଯେମିତି ସବୁକିଛି ଯୌବନକୁ ସାଇତି ରଖିଥିଲେ ସର୍ବଶକ୍ତିମାନ୍ ଈଶ୍ୱର। ଏହା ପରଠାରୁ ପଛକୁ ଫେରି ଚାହିଁବାକୁ ଆଉ ଫୁରସତ୍ ପାଇନାହାନ୍ତି ଏହି ଯଲିଉଡ୍ ଲାଫିଂ ବିୟୁଟି।

ଗୋଟିଏ ପରେ ଗୋଟିଏ ହିଟ୍‌ ନାଟକ ବଦଳାଇ ଦେଇଥିଲା ରୀନାଙ୍କ ଭାଗ୍ୟ। ଏପରିକି ମଞ୍ଚରେ ଅଭିନୟ କରୁଥିବା ବେଳେ ରୀନାଙ୍କ ଉପରେ ଫିଲ୍ମ ନିର୍ଦ୍ଦେଶକ ସ୍ୱର୍ଗତଃ ହର ପଟ୍ଟନାୟକଙ୍କ ନଜର ପଡ଼ିଥିଲା। ମିଳିଥିଲା ଫିଲ୍ମ ‘ଗଙ୍ଗ ଯମୁନା’ରେ ସୁପରଷ୍ଟାର୍ ରଚନା ବାନାର୍ଜୀଙ୍କ ସହ ଅଭିନୟର ଅଫର୍। ଫିଲ୍ମରେ ଅଭିନୟ କରିବାକୁ ରୀନାଙ୍କର ଇଚ୍ଛା ମଧ୍ୟ ଥିଲା। ମାତ୍ର ଯାତ୍ରାରୁ ଟାଇମ୍ ମିଳିଲା ନାହିଁ ତ ଅଧାରେ ରହିଗଲା ତାଙ୍କ ଅନ୍ ସ୍କ୍ରିନ୍ ଆକ୍ଟିଂ।

କେବେ ଲୁହରେ ଭିଜାଉଥିବା ତ ଆଉ କେବେ ଦର୍ଶକଙ୍କ ଆଖିରେ ରୋମାଣ୍ଟିକ୍ ଅନ୍ଦାଜ୍ ଭରୁଥିବା ରୀନା ତ୍ରିନାଥ ଗଣନାଟ୍ୟ ଆଖଡ଼ାଶାଳର କ୍ରିଜରେ ହୋଇ ଯାଇଥିଲେ କ୍ଲିନ୍ ବୋଲ୍ଡ। ମାନେ, ପଡ଼ିଯାଇଥିଲେ ପ୍ରେମରେ। ଆଉ ସେହି ତ୍ରିନାଥରେ ହିଁ ଲେଖିଥିଲେ ନିଜ ରିଅଲ୍‌ ଲାଇଫର ନୂଆ କାହାଣୀ। ମ୍ୟୁଜିକ୍‌ ଆରେଞ୍ଜର ରାଜୁ ମିଶ୍ରଙ୍କ ପ୍ରେମରେ ମସଗୁଲ୍ ଥିବାବେଳେ ରୀନାଙ୍କ ଭାବୀ ଶ୍ୱଶୁର ଆସିଥିଲେ ପୁଅ କାମ କରୁଥିବା ଗଣନାଟ୍ୟର ଯାତ୍ରା ଦେଖିବାକୁ। ଆଉ ରୀନାଙ୍କ ଇମୋସନାଲ୍ ଆକ୍ଟିଂ ଦେଖି ଶ୍ୱଶୂର ଏମିତି ଭାବବିହ୍ୱଳ ହୋଇ ପଡ଼ିଥିଲେ ଯେ ରାଜୁଙ୍କ କଥାରେ ରାଜି ହୋଇ ଯାତ୍ରା ସରିବା ପରେ ସେହି ମଞ୍ଚରେ ପିନ୍ଧାଇଥିଲେ ବୋହୂ ଦେଖା ମୁଦି । ମାତ୍ର ୧୬ ବର୍ଷ ବୟସରେ ରାଜୁଙ୍କ ବେକରେ ବରଣମାଳା ପକାଇ ରୀନା ପଣ୍ଡା ଗୋଟିଏ କାନ୍ଧରେ ସଂସାର ଓ ଆଉ ଗୋଟିଏ କାନ୍ଧରେ ବୋହିବା ଆରମ୍ଭ କଲେ ନିଜ ଅଭିନୟର କ୍ୟାରିଅର୍। ସେବେଠାରୁ କ୍ୟାରିଅର୍ ଓ ଅଭିନୟର ଗାଡ଼ି ଗଡ଼ି ଚାଲିଛି ସମାନ୍ତରାଳ ଢଙ୍ଗରେ ଅଥଚ ସଫଳତାର ସହ।

ରୀନାଙ୍କ ହିଟ୍ ନାଟକ ମଧ୍ୟରେ ରହିଛି, ଦେବଦାସୀ, ସିଆଇଡି ଦୟା, ବାଦଶା, ଆପଣମାନେ ଖୁସି ତ, ଟିକିଲି ଖୋଜେ ନାଲି ସିନ୍ଦୂର, ବିସ୍ଫୋରଣ-୨୦୧୨, ସବୁ ସୋମବାର ତୁମରି ପାଇଁ, ଝିଅମାନଙ୍କୁ ସଲାମ କର, ଏମିତି କେମିତି ହେଲା, ଅଦିନ ଝଡ଼, ଶୂନ୍ୟସ୍ଥାନ ପୂରଣ କର, କୁଳାଙ୍ଗାର, ବାଘ ବୁଲୁଛି ରାଜଧାନୀରେ, ଏତେ ସରି ତୋତେ କିଏ କଲା ଓ ଝିଅ ମୋର ମହାଲକ୍ଷ୍ମୀ ପ୍ରମୁଖ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।