ପ୍ରାମାଣିକ କ୍ଷୁଦ୍ର ଚଳଚ୍ଚିତ୍ର ଉତ୍ସବ ଆରମ୍ଭ

ଭୁବନେଶ୍ୱର: କଳା ଓ ବିଲୁପ୍ତ ପ୍ରାୟ କଳାକୁ ନେଇ ପ୍ରାମାଣିକ କ୍ଷୁଦ୍ର ଚଳଚ୍ଚିତ୍ର ଉତ୍ସବ ଆଜିଠୁ ଆରମ୍ଭ ହୋଇଛି। ଭୁବନେଶ୍ୱର ଇଡକଲ୍ ଅଡିଟୋରିୟମରେ ‘ଜେଡି ସେଣ୍ଟର ଅଫ୍ ଆର୍ଟର ଫିଲ୍ମ ଫୋରମ୍’ ପକ୍ଷରୁ ଆରମ୍ଭ ହୋଇଥିବା ଏହି ଉତ୍ସବର ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଗାମୀ ବର୍ଷରୁ ରାଜ୍ୟ ସରକାର ଓ ଜେଡିସିଏ ମିଳିତ ଭାବେ ଉତ୍ସବର ଆୟୋଜନ କରିବେ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ।

ଏହି ଉତ୍ସବରେ ଦେଶ ବିଦେଶର ବିଭିନ୍ନ ଭାଷାର କ୍ଷୁଦ୍ର ଚଳଚ୍ଚିତ୍ର ଗୋଟିଏ ସ୍ଥାନରେ ଦେଖିବାର ସୁଯୋଗ ମିଳିବ। ପ୍ରଥମ ଦିନରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ପ୍ରାମାଣିକ ଓ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା। ୩ଦିନ ଧରି ଚାଲିବାକୁ ଥିବା ଏହି ଉତ୍ସବରେ ୨୫ଟି ଚଳଚ୍ଚିତ୍ର ପ୍ରଦର୍ଶିତ କରାଯିବ। ଡିଜିଟାଲ୍ ଚଳଚ୍ଚିତ୍ର ନିର୍ମାଣକୁ ନେଇ କର୍ମଶାଳାର ଆୟୋଜନ କରାଯିବ। ଏହା ସହ ଓଡ଼ିଆ ବ୍ୟଞ୍ଜନ ପ୍ରସାର ପାଇଁ ମଧ୍ୟ ଲକ୍ଷ୍ୟ ରଖାଯାଇଛି।