‘ସାଲା’ ଉପରେ ଚାଲିଲାନି ସେନସର ବୋର୍ଡ କଇଁଚି, ହିରାନୀ ଆଶ୍ଚର୍ଯ୍ୟ

ମୁମ୍ବାଇ: ଆସନ୍ତାକାଲି ରିଲିଜ୍ ହେବ ରାଜକୁମାର ହିରାନୀଙ୍କ ଫିଲ୍ମ ‘ସାଲା ଖଡୁସ୍’। ଗୋଟିଏ ଦୁଇଟି ସିନରେ କଟ୍ କରି ସେନସର ବୋର୍ଡ ଏହାକୁ କ୍ଲିୟରାନ୍ସ ଦେଇଥିଲା। କିନ୍ତୁ ‘ସାଲା’ (ଓଡ଼ିଆରେ ଶଳା) ଶବ୍ଦଟି ଉପରେ ବୋର୍ଡ କଇଁଚି ନ ଚଲାଇବା ହିରାନୀଙ୍କୁ ଆଶ୍ଚର୍ଯ୍ୟ କରିଛି। ସେ ଭାବିଥିଲେ, ସେନସର ବୋର୍ଡ ନିଶ୍ଚିତ ଭାବେ ‘ସାଲା’ ଶବ୍ଦଟିକୁ ହଟାଇ ଦେବା ପାଇଁ ନିର୍ଦ୍ଦେଶ ଦେବ। ହିରାନୀ ଏଭଳି ଭାବିବା ସ୍ୱାଭାବିକ ଥିଲା। କାରଣ ପହଲାଜ ନିହଲାନୀଙ୍କ ନେତୃତ୍ୱାଧୀନ ସେନସର ବୋର୍ଡ ନିକଟରେ ଫିଲ୍ମରେ ଅପଶବ୍ଦର ବ୍ୟବହାର ନେଇ କଡ଼ା ଆଭିମୁଖ୍ୟ ଦେଖାଇଥିଲେ। ଅବଶ୍ୟ ଏଥିପାଇଁ ବୋର୍ଡ ବିବାଦ ମଧ୍ୟ ଠେଲି ହୋଇଯାଇଥିଲା। ସେହିଭଳି ବଣ୍ଡ୍ ସିରିଜର ଫିଲ୍ମ ’ସ୍ପେକ୍ଟର’ରେ ଥିବା କିସିଂ ସିନ୍ ଉପରେ ମଧ୍ୟ କଇଁଚି ଚଲାଇ ଦେଇଥିଲା ବୋର୍ଡ।

ହିରାନୀ କହିଛନ୍ତି ଯେ ସେ ତାଙ୍କ ଫିଲ୍ମ ‘ସାଲା ଖଡୁସ୍’କୁ ନେଇ ଖୁବ୍ ଚିନ୍ତିତ ଥିଲେ। ଫିଲ୍ମର ନାଁରୁ ‘ସାଲା’ ଶବ୍ଦଟି ହଟାଇ ଦିଆଯିବ ବୋଲି ସେ ମନେ କରୁଥିଲେ। କିନ୍ତୁ ସେମିତି ହେଲା ନାହିଁ। ଏକ ଗୀତରେ ମଧ୍ୟ ‘ସାଲା’ ଶବ୍ଦର ବ୍ୟବହାର ହୋଇଥିଲା। ଫିଲ୍ମ ଚାଲିବା ବେଳେ ଉକ୍ତ ଶବ୍ଦକୁ ମ୍ୟୁଟ୍ କରି ଦେବା ପାଇଁ ବୋର୍ଡ କହିଛି।

ରାଜକୁମାର ହିରାନୀ ଫିଲ୍ମଟିର ପ୍ରଯୋଜକ ରହିଛନ୍ତି। ଉଭୟ ତେଲଗୁ ଓ ହିନ୍ଦୀ ଭାଷାରେ ଏହି ଫିଲ୍ମଟି ତିଆରି ହୋଇଛି।

ସୁଧା କେ. ପ୍ରସାଦ ଏହାର ନିର୍ଦ୍ଦେଶନା ଦେଇଛନ୍ତି। ଏଥିରେ ଆର୍. ମାଧବନ ଓ ରିତିକା ସିଂହ ଲିଡ୍ ରୋଲରେ ଅଛନ୍ତି। ମାଧବନ ଏହି ଫିଲ୍ମରେ ଜଣେ ବକ୍ସିଂ କୋଚ ଭୂମିକାରେ ଆସୁଛନ୍ତି।