ମହାମଣିଙ୍କ କୁଆଁରୀ ମନରେ କିଏ ଢାଳିଲା ସିନ୍ଦୂର?

ବାରିପଦା(ମାଣିକଲାଲ ପାଣି): ବାହାମଣି ଜଣେ ସାନ୍ତାଳୀ ସମ୍ପ୍ରଦାୟର ଝିଅ। ତାଙ୍କ ବଡ଼ବାପା ଜଣେ ରାଜନୈତିକ ବ୍ୟକ୍ତି ଥିଲେ। ସମୟଚକ୍ରରେ ବଡ଼ବାପାଙ୍କୁ ରାଜନୈତିକ ପ୍ରତିପକ୍ଷମାନେ ହତ୍ୟା କରିଛନ୍ତି। ଆଉ ମୃତ୍ୟୁ ପୂର୍ବରୁ ରାଜନେତାର କର୍ତ୍ତବ୍ୟ କରିବା ପାଇଁ ବାହାମଣିକୁ କହିଦେଇଯାଇଛନ୍ତି ତାଙ୍କ ବଡ଼ବାପା। ଯାହାକୁ ପାଳନ କରିବା ପାଇଁ ରାଜନୀତି ମଇଦାନକୁ ଲମ୍ଫ ମାରୁଛନ୍ତି ବାହାମଣି।

ନିଜ ସମ୍ପ୍ରଦାୟରେ ବାହାମଣି ଦିନକୁ ଦିନ କାୟା ବିସ୍ତାର କରୁଥିବା ଦେଖି ବିରୋଧୀ ଭୟଭୀତ ହେଲେ। ଆଉ ତା’ଙ୍କୁ ବିବାଦରେ ଫସାଇବା ପାଇଁ କଲେ ଷଡ଼ଯନ୍ତ୍ର। ଶେଷରେ ସଫଳ ମଧ୍ୟ ହେଲେ। ବାହାମଣିଙ୍କ କୁଆଁରୀ ମଥାରେ ଜୋର ଜବରଦସ୍ତ ଭରିଦେଲେ ସିନ୍ଦୂର। ଅପବାଦର ସବୁ କଳଙ୍କକୁ ମୁଣ୍ଡରେ ମୁଣ୍ଡାଇ ରାଜନୀତି ରଣାଙ୍ଗାନରେ ଉଭା ହେଲେ ବାହାମଣି। ଆଉ ତା’ପରେ ବଡ଼ବାପା ଦେଖିଥିବା ସ୍ୱପ୍ନକୁ ସାକାର କରିବାରେ ଲାଗି ପଡ଼ିଲେ….। ଏମିତି କିଛି ସତ୍ୟ ଘଟଣାକୁ ନେଇ ଗତିଶୀଳ ହୋଇଛି ସାନ୍ତାଳୀ ଫିଲ୍ମ ‘କୁଲକୁରି ବାହାମଣି’। ମୟୂରଭଞ୍ଜର ଜିଲ୍ଲା ଏକ ସତ୍ୟ ଘଟଣା ଉପରେ ଆଧାରିତ ହୋଇଛି ଏହି ସାନ୍ତାଳି ଚଳଚ୍ଚିତ୍ରଟି।

ସାନ୍ତାଳୀ ସମ୍ପ୍ରଦାୟର କୁପ୍ରଥାକୁ ନେଇ ତିଆରି ହୋଇଛି ‘କୁଲକୁରି ବାହାମଣି’ ଫିଲ୍ମ। ଏଥିରେ ବାଲ୍ୟ ବିବାହ ଓ ମହିଳା ନିର୍ଯାତନା ବିରୋଧରେ ସ୍ୱରଉତ୍ତୋଳନ କରାଯାଇଛି। ବାରିପଦା ସହର ଆଖପାଖ ଅଞ୍ଚଳରେ ଏହି ଚଳଚ୍ଚିତ୍ରଟି ସୁଟିଂ କରାଯାଇଛି। ଏହାଛଡ଼ା ଆଦିବାସୀଙ୍କ ଜୀବନ ଶୈଳୀକୁ ସୁନ୍ଦର ଭାବରେ ଉପସ୍ଥାପନା କରାଯାଇଛି। ଏହି ଚଳଚ୍ଚିତ୍ରର ପ୍ରଯୋଜକ ପିଙ୍କି ମାରାଣ୍ଡି କରିଥିବା ବେଳେ ନିର୍ଦ୍ଦେଶନା ସୁଜନ ମୁର୍ମୁ ଦେଇଛନ୍ତି। ଏଥିରେ ଅଭିନେତ୍ରୀ ଭୂମିକାରେ ଦୁର୍ଗା ଟୁଡୁ, କଳାକାର ଜୟପ୍ରକାଶ ମୁର୍ମୁ, ମାର୍ଶଲ ମାରାଣ୍ଡି ପ୍ରମୁଖ ନିଖୁଣ ଅଭିନୟ କରିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।