ସିନେମା ହଲ୍‌ରେ ଜାତୀୟ ସଙ୍ଗୀତ ବାଜିବା ଏକ ଅପମାନ: ସୋନୁ ନିଗମ୍

ମୁମ୍ବାଇ: ସିନେମା ହଲ୍‌ରେ ଜାତୀୟ ସଙ୍ଗୀତ ବାଜିବା ନେଇ ସର୍ବସମ୍ମୁଖରେ ପ୍ରତିକ୍ରିୟା ରଖିଲେ ବଲିଉଡ୍ ଗାୟକ ସୋନୁ ନିଗମ୍। ସେ କହିଛନ୍ତି- ସିନେମା ହଲ୍‌ରେ ଜାତୀୟ ସଙ୍ଗୀତ ବାଜିବା ଜାତୀୟ ସଙ୍ଗୀତ ପ୍ରତି ଅପମାନ।

ମହାରାଷ୍ଟ୍ରରେ ଦେବେନ୍ଦ୍ର ଫଡନବିସ୍ ସରକାରଙ୍କ ୩ ବର୍ଷ ପୂର୍ତ୍ତି ଅବସରରେ ଜାତୀୟ ଗଣମାଧ୍ୟମ ଆଜତକ୍ ପକ୍ଷରୁ ‘ମନ୍ଥନ’ ନାମକ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବଲିଉଡ୍ କଳାକାରଙ୍କ ସମେତ ବହୁ ନେତା ମନ୍ତ୍ରୀ ଯୋଗ ଦେଇ ୩ ବର୍ଷ କାର୍ଯ୍ୟକାଳର ସଫଳତା ଓ ବିଫଳତା ଉପରେ ଟିପ୍ପଣୀ ରଖିଥିଲେ।

ଏହାର ଅଷ୍ଟମ ସଂସ୍କରଣରେ ‘ଅଜାନ କରେ ପରିଶାନ୍’ ନାମକ  ବିଷୟ ଉପରେ ଆଲୋଚନା କରାଯାଇଥିଲା। ଏଥିରେ ଯୋଗ ଦେଇଥିଲେ ବଲିଉଡ୍ ଗାୟକ ସୋନୁ ନିଗମ୍। ପୂର୍ବରୁ ଅଜାନକୁ ନେଇ ତାଙ୍କ ଟ୍ୱିଟ୍‌ରେ ସୃଷ୍ଟି ହୋଇଥିବା ବିବାଦକୁ ଦୁର୍ଭାଗ୍ୟଜନକ ବୋଲି କହିଥିଲେ ସୋନୁ। ଏହାର ଭୁଲ ଅର୍ଥ ବାହାର କରାଯାଇ ବୃଥାରେ ବିବାଦ ସୃଷ୍ଟି କରାଯାଇଥିଲା ବୋଲି ସେ କହିଥିଲେ। ଏହାପରେ ସେ କିହିଥିଲେ ସିନେମା ହଲରେ ଜାତୀୟ ସଂଗୀତ ବାଜିବା ନେଇ ସେତେବେଳେ ମୋତେ ଅନେକ ପ୍ରଶ୍ନ ପଚରା ଯାଇଥିଲା। ମୁଁ ସେମାନଙ୍କୁ ଉତ୍ତରେ ଦେଇ କହିଥିଲି- “ଜାତୀୟ ସଙ୍ଗୀତକୁ  ରେଷ୍ଟୁରାଣ୍ଟ ଓ ସିନେମା ହଲରେ ବଜାଇ ଏହାକୁ ଛୋଟ କରି ଦିଅନ୍ତୁ ନାହିଁ। ମୁଁ ମୋ ମାଆ-ବାପାଙ୍କୁ ସେଇ ସ୍ଥାନକୁ ନେଇଯିବାକୁ ଚାହିଁବି ଯେଉଁଠି ତାଙ୍କୁ ସମ୍ମାନ ମିଳିବ।” ତେଣୁ ସିନେମା ହଲରେ ଜାତୀୟ ସଙ୍ଗୀତ ବାଜିବା ଜାତୀୟ ସଙ୍ଗୀତ ପ୍ରତି ଅପମାନ ବୋଲି କାର୍ଯ୍ୟକ୍ରମରେ ସର୍ବସମ୍ମୁଖରେ ପ୍ରକାଶ କରିଥିଲେ ସୋନୁ।